Categories: ଅନୁଗୋଳ

ଦକ୍ଷେଶ୍ୱର ଉପ୍ରା ବିଦ୍ୟାଳୟ : ୮ ଶ୍ରେଣୀକୁ ୫ କୋଠରି

ଆଠମଲ୍ଲିକ, ୧୩ା୩(ଡି.ଏନ.ଏ.) – ଶିକ୍ଷାର ବିକାଶ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ। ଏହି ବ୍ଲକର ଲିପିଲୋଇ ଗ୍ରାମରେ ଥିବା ଦକ୍ଷେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷାଦାନକୁ ବ୍ୟବସ୍ଥିତ କରାଯାଇପାରି ନ ଥିବା ଅଭିଯୋଗ ହୋଇଛି। ଭିତ୍ତିଭୂମି ଅଭାବ, ଆବଶ୍ୟକ ଶିକ୍ଷକ ଏପରିକି ଶ୍ରେଣୀ ଅନୁଯାୟୀ ଶ୍ରେଣୀଗୃହ ନ ଥିବାରୁ ଛାତ୍ରୀଛାତ୍ରମାନଙ୍କ ପାଠପଢାରେ ବ୍ୟାଘାତ ହେଉଥିଲେ ବି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମୁଦାୟ ୨ ଶହ ଛାତ୍ରୀଛାତ୍ର ପଢୁଛନ୍ତି। ହେଲେ ସେମାନଙ୍କ ପାଇଁ ରହିଛି ମାତ୍ର ୫ ଶ୍ରେଣୀଗୃହ। ସେଥିରୁ ୪ଟି ଛାତଘର ଓ ଗୋଟିଏ ଆଜବେଷ୍ଟସ ଘର। ବସିବାକୁ ଜାଗା ନ ଥିବାରୁ ଦ୍ୱିତୀୟ, ତୃତୀୟ ଶ୍ରେଣୀର ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଅନ୍ୟପକ୍ଷରେ ୮ଟି ଶ୍ରେଣୀ ପାଇଁ ନିଯୁକ୍ତ ହୋଇଛନ୍ତି ମାତ୍ର ୧୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକ। ଫଳରେ ପିଲାମାନଙ୍କୁ ଠିକ୍‌ ଭାବେ ପଢାଯାଇପାରୁ ନ ଥିବାବେଳେ ଇଂଲିଶ, ସଂସ୍କୃତ, ହିନ୍ଦୀ, ଗଣିତ ଆଦି ପାଠ୍ୟକ୍ରମରୁ ଛାତ୍ରୀଛାତ୍ର ବଞ୍ଚିତ ହେଉଛନ୍ତି। ଦୀର୍ଘ ଦିନରୁ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଥିପ୍ରତି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଅନାଦି ଚରଣ ବେହେରା କୁହନ୍ତି, ସମସ୍ୟା ରହିଛି। ଏ ନେଇ ବିଦ୍ୟାଳୟ ପକ୍ଷରୁ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l ବର୍ତ୍ତମାନ ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ ଚାଲିଛି l