ଥିଏଟର କଳାକାରଙ୍କ ପାଇଁ ଆଗେଇ ଆସିଲେ ଭାଇଜାନ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହି ସମୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ଏହି ସମୟରେ ସହଯୋଗର ହାତ ବଢାଇଛନ୍ତି ବଲିଉଡ୍‌ର ଅଧିକାଂଶ ସେଲିବ୍ରିଟି। ସବୁବେଳେ ସମସ୍ତଙ୍କ ପାଇଁ ସହଯୋଗର ହାତ ବଢାଇଥିବା ସଲମାନ ଖାଁ ମଧ୍ୟ ପଛରେ ନାହାନ୍ତି। ସବୁ ସମୟରେ ସେ ଖୋଲା ହୃଦୟରେ ଦାନ କରିଆସିଛନ୍ତି। ନିକଟରେ କରୋନା ଯୋଦ୍ଧାଙ୍କୁ ପ୍ରାୟ ୧ ଲକ୍ଷ ସାନିଟାଇଚର ବାଣ୍ଟିଥିବା ସଲମାନ ଏବେ ପୁଣିଥରେ ଥିଏଟର କଳାକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏକଥା ପ୍ରକାଶ କରିଛନ୍ତି ଯୁବ ସେନା ନେତା ରାହୁଲ କନଲ। ନିକଟରେ ରାହୁଲ ଏକ ଓ୍ବେବସାଇଟକୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି, ଶ୍ରୀ ଶିବାଜୀ ମନ୍ଦିର ନାଟ୍ୟଗୃହ କଳାକାର ଓ ଟେକ୍ନିସିଆନଙ୍କ ଦୂରାବସ୍ଥା କଥା ଶୁଣିଲେ ସେତେବେଳେ ସେ ଏକଥା ସଲମାନଙ୍କ କାନରେ ପକାଇଲେ। ଆଉ ସଲମାନ କାଳ ବିଳମ୍ବ ନ କରି ସେମାନଙ୍କୁ ସାହାଯ୍ୟ କରିବାକୁ ଚାଲି ଆସିଲେ। ଏହି ନାଟ୍ୟ କଳାକାର ଓ ଟେକ୍ନିସିଆନଙ୍କ ପାଇଁ ବଲିଉଡ୍‌ ଭାଇଜାନ ସଲମାନ ଏକ ରାଶନ କିଟ ପ୍ରଦାନ କରିଛନ୍ତି ବୋଲି ରାହୁଲ କହିଛନ୍ତି। ଏଥିରେ ଚାଉଳ, ଅଟା, ପନିପରିବା, ତେଲ, ଲୁଣ, ମସଲା ଓ ଚା’ ପତି ରହିଛି। ଅନ୍ୟପଟେ ବଲିଉଡ୍‌ ଅଭିନେତା ଅଲି ଫଜଲ ଏବେ ଥିଏଟର କଳାକାରଙ୍କର ଏକ ଡାଟାବେସ ପ୍ରସ୍ତୁତ କରୁଛନ୍ତି। ସେ କହିଛନ୍ତି ଯେଉଁ ଥିଏଟର କଳାକାରଙ୍କର ସାହାଯ୍ୟ ଆବଶ୍ୟକ ରହିଛି ସେମିତି କିଛି ଫୋନ୍‌ ନମ୍ବର ଯୋଗାଡ କରାଯାଉଛି। ପରେ ଏମାନଙ୍କୁ ସାହାଯ୍ୟ କରାଯିବ ବୋଲି ରାହୁଲ କହିଛନ୍ତି।

Share