ଥାନାର ଦ୍ୱାରସ୍ଥ ହୋଇ ନ ଥିବା ଗାଁ

କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସର ସହାୟତା ସମସ୍ତେ ନେଇଥାନ୍ତି। କିନ୍ତୁ କେନ୍ଦୁଝର ଜିଲାରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠି ଏବେ ସୁଦ୍ଧା ପୋଲିସର ସହାୟତା ନେଇନାହାନ୍ତି। କଥାଟା ଏକଦମ୍‌ ସତ। ଏଭଳି ଏକ ଗ୍ରାମ ହେଉଛି ଝୁମ୍ପୁରା ବ୍ଲକର ତେଲିଅର୍ଶଳା ଗ୍ରାମ ା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୨୫ କି.ମି. ଦୂରରେ ଏହି ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ପାଖାପାଖି ୭୦୦ ମାଝି ସଂପ୍ରଦାୟର ଲୋକ ବସବାସ କରନ୍ତି।
ଗ୍ରାମକୁ ପୋଲିସ ଆସିବା ମନା। କୌଣସି ମାମଲାରେ ଯଦି ପୋଲିସ ଆସେ ତେବେ ସେମାନଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରାଇଦିଅନ୍ତି ନାହିଁ। ବିଭିନ୍ନ ମାମଲାର ଫଇସଲା ଗ୍ରାମରେ ହୋଇଥାଏ। ସମସ୍ତ ସୁବିଧା ଅସୁବିଧାର ସମାଧାନ ଗ୍ରାମରେ କରାଯାଏ। ଗ୍ରାମର ମୁଖିଆ ହେଉଛନ୍ତି ଧନେଶ୍ୱର ମାଝି। ତାଙ୍କ ନେତୃତ୍ୱରେ ପଞ୍ଚାୟତ ବସି ସମସ୍ତ ପ୍ରକାରର ବିବାଦ, ଗଣ୍ଡଗୋଳର ସମାଧାନ ହୋଇଥାଏ। ଗ୍ରାମର ଡାକୁଆ ଜରିଆରେ ମୁରବିମାନଙ୍କୁ ଡକାଯାଏ। ଅଭିଯୋଗକାରୀ ତଥା ଅଭିଯୁକ୍ତଙ୍କୁ ମଧ୍ୟ ଡକାଯାଏ। ଯାହା ନିଷ୍ପତ୍ତି ହୋଇଥାଏ ତାହା ସମସ୍ତ ମାନିଥାନ୍ତି। ଏହି ଗ୍ରାମରେ ରହିଛି ଏକ ଆଶ୍ରମ ସ୍କୁଲ ା ଥରେ ଏହି ସ୍କୁଲର ଜଣେ ପିଲା କେଉଁ ଆଡେ ଚାଲିଯିବାରୁ ତାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ପାଇ ଗ୍ରାମକୁ ଆସିଥିଲା। କିନ୍ତୁ ଗ୍ରାମବାସୀ ପୋଲିସକୁ ଅଟକାଇ ଫେରାଇ ଦେଇଥିଲେ ା ନିଜେ ଗ୍ରାମବାସୀ ଉକ୍ତ ଛାତ୍ରକୁ ଖୋଜିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସହାୟତା କରି ଫେରିପାଇଥିଲେ। ଯେଉଁ ସବୁ କେସ ଅନ୍ୟ ଗ୍ରାମରେ ପୋଲିସ ଥାନା ବା କୋର୍ଟ କଚେରିରେ ହୋଇଥାଏ ସେଭଳି କେସଗୁଡ଼ିକ ଏହି ଗ୍ରାମରେ ହୋଇଥାଏ ବୋଲି ଗ୍ରାମର ଦିନେଶ କୁମାର ଟୁଡୁ କହିଛନ୍ତି। ଏହି ପରମ୍ପରା ଏବେକାର ନୁହେଁ। ବହୁ ଆଗରୁ ଚାଲି ଆସୁଛି ା ଏପରିକି ବିବାହ ବିଚ୍ଛେଦ ମାମଲାଗୁଡିକ ମଧ୍ୟ ଫଇସଲା କରାଯାଇଥାଏ। ସମସ୍ତେ ଭାଇଚାରା ମନୋଭାବ ନେଇ ଖୁସିରେ ରହିଆସୁଛନ୍ତି ବୋଲି ବରିଷ୍ଠ ଗ୍ରାମବାସୀ ସୁରେନ୍ଦ୍ର ମାଝି କହିଛନ୍ତି।
ଏହି ଗ୍ରାମବାସୀ ଗୁଣିଗାରେଡି ଉପରେ ବିଶ୍ୱାସ କରନ୍ତି ନାହିଁ ା ଗ୍ରାମରେ ରହିଛି ଠାକୁରାଣୀ ଶାଳ ସେଠାରେ ପୂଜାପାଠ ସମସ୍ତେ ମିଳିମିଶି କରନ୍ତି। ଗ୍ରାମରେ ଓଷା ବା ଅନ୍ୟାନ୍ୟ ଗଣେଶ, ବିଶ୍ୱକର୍ମା ଆଦି ପୂଜା କରାଯାଏ ନାହିଁ। ବର୍ଷରେ କାଳୀପୂଜା ଓ ହୋଲିକୁ ଧୁମଧାମରେ ପାଳନ କରିଥାନ୍ତି। ଏହି ପର୍ବ ଗ୍ରାମର ସମସ୍ତେ ମିଶି ପାଳନ କରିଥିବାବେଳେ ମିଳିମିଶି ଖର୍ଚ୍ଚ ଉଠାଇଥାନ୍ତି। ମାଦଳ ଓ ନାଗରା ବଜାଇ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ନାଚଗୀତ କରି କଟାନ୍ତି। ଏହି ଗ୍ରାମର ଲୋକମାନେ ଧାନ, ଡାଲିଜାତୀୟ ଫସଲ, ପନିପରିବା ଚାଷବାସ ସହିତ ଗୋପାଳନ କରି ଚଳିଥାନ୍ତି।
ଫଟୋ-
ତେଲିଅର୍ଶଳ ଗ୍ରାମବାସୀ