ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ କଂସ ମହାରାଜ । ପରିଭ୍ରମଣ ବାଟରେ ନିଜ ପାତ୍ରମନ୍ତ୍ରୀଙ୍କ ଗହଣରେ କଂସ ମହାରାଜ ସ୍ଥାନୀୟ ଟାଉନ ଥାନାରେ ପହଞ୍ଚିଥିଲେ। ସେଠାରେ ଭାରପ୍ରାପ୍ତ ଥାନାଧିକାରୀଙ୍କୁ ଡାକି ମଥୁରାନଗରୀର ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ। ମଦ, ଗଞ୍ଜେଇ, କଫ ସିରପ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କୁ ମଥୁରାଧିପତି କଂସ ମହାରାଜଙ୍କ ସମ୍ମୁଖରେ ହାଜର କରାଯାଇଥିଲା। କଂସ ମହାରାଜ ସେମାନଙ୍କୁ ତାଗିଦ କରିବା ସହିତ କାନ ଧରି ଉଠ ବସ୍ କରାଇଥିଲେ । ଏହା ସହିତ ଗଦା ପ୍ରହାର ପାଇଁ ଚାଣୁର, ମୁଷ୍ଟିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭବିଷ୍ୟତରେ ଆଉ ସେଭଳି ନିଶା କାରବାର ନ କରିବା ପାଇଁ ସେମାନଙ୍କୁ ତାଗିଦ କରିଥିଲେ। ଏହାର ଅବମାନନା କଲେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ମହାରାଜ ରୋକଠୋକ୍ ଶୁଣାଇ ଦେଇଥିଲେ।


