ଥାନାଧିକାରୀଙ୍କ ବଦଳି ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

କୋରାପୁଟ,୧୭।୮(ସ୍ବ.ପ୍ର.): କୋରାପୁଟ ଜିଲାର ପାଡୁଆ ଥାନାଧିକାରୀଙ୍କ ବଦଳି ଦାବି କରି ଦୁଇ ଗ୍ରାମର ଶତାଧିକ ଗ୍ରାମବାସୀ ଶନିବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଗତ ଜୁଲାଇ ୭ ତାରିଖରେ ନନ୍ଦପୁର ମେଡିକାଲଠାରେ ଚିକିତ୍ସିତ ହେଉଥିବା ନିଜ ଭଉଣୀକୁ ଦେଖିବା ପାଇଁ ପାଡୁଆରୁ ଦୁଇ ଯୁବକ ଏକ ବାଇକ ଯୋଗେ ନନ୍ଦପୁର ଯାଉଥିବା ବେଳେ ଭେଜା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣାରେ ପୂର୍ଣ୍ଣ ମାଝି ଓ ଲକ୍ଷ୍ମଣ ମାଝିଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକେ ପାଡୁଆ ଥାନାରେ ଏତଲା ଦେବା ସହ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ ପାଇଁ ନିବେଦନ କରିଥିଲେ। କିନ୍ତୁ ଥାନାଧିକାରୀ ଘଟଣାରେ ଦୀର୍ଘଦିନ ଧରି ଚୁପ୍‌ ରହି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିବା ସହ ଓଲଟା ମୃତକ ପରିବାରକୁ ବିଭିନ୍ନ ଆଳରେ ହଇରାଣ କରୁଥିବା ଦାବିପତ୍ରରେ ଦର୍ଶାଇଛନ୍ତି। ତେଣୁ ପାଡୁଆ ଥାନାଧିକାରୀଙ୍କୁ ତୁରନ୍ତ ଏଠାରୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଛନ୍ତିି। ଏହି ଦାବିପତ୍ର ପ୍ରଦାନ ବେଳେ ପାଡୁଆ ଓ ଚାଟୁଆ ଅଞ୍ଚଳରୁ ସନୁ ମାଝି, ମଧୁ ମାଝି, ଆଦୁ ହିକକା, ସଣ୍ଡ ଖରା, ଗେମେଲ ପାଡୁ, ଧନୁ ଡୁମୁରି, କୁନ୍ଦ ପାଙ୍ଗି, ଘାସି ଖରା, ବୁଦୁ ମାଝି, ଜୟ ହନ୍ତାଳ, ମାଧବ ମାଝି, ସୁରେଶ ମାଝି ପ୍ରମୁଖ ଉପସ୍ଥିତ ରହି ଏସ୍‌ପିଙ୍କୁ ଦାବିପତ୍ର ଦେବା ସହ ଏହାର ଏକ ନକଲ କୋରାପୁଟ ଜିଲାପାଳଙ୍କୁ ମଧ୍ୟ ପ୍ରଦାନ କରିଥିବା ଜଣାଯାଇଛି।