Categories: ଜାତୀୟ

ଥମୁନି ପ୍ରାଣୀ ହିଂସା: କୁକୁରକୁ ଘୋଷାଡ଼ି ନେଲେ

ଔରଙ୍ଗାବାଦ, ୭।୬: ଦେଶରେ ପ୍ରାଣୀ ହିଂସା ଥମିବାର ନାଁ ଧରୁନି। କିଛି ଦିନ ତଳେ କେରଳରେ ଗୋଟିଏ ଗର୍ଭିଣୀ ହାତୀକୁ କିଛି ଦୁର୍ବୃତ୍ତ ସପୁରି ଭିତରେ ବିସ୍ଫୋରକ ରଖି ଖାଇବାକୁ ଦେଇଥିଲେ। ପରେ ହାତୀଟିର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପରେ ହିମାଚଳ ପ୍ରଦେଶରେ ମଧ୍ୟ ଗାଈକୁ ଖାଦ୍ୟ ଭିତରେ ବିସ୍ଫୋରକ ଖାଇବାକୁ ଦିଆ ଯାଇଥିଲା। ଏସବୁ ଘଟଣାର ଭିଡ଼ିଓ ଭାଇରାଲ ହୋଇଥିଲା। ଇତିମଧ୍ୟରେ ହାତୀ ମୃତ୍ୟୁ ଘଟଣାରେ କେତେକଙ୍କୁ ଗିରଫ କରାଯାଇଥିବା କୁହାଯାଉଛି। ଏବେ ଔରଙ୍ଗାବାଦରେ ଏକ କୁକୁରକୁ ଗାଡ଼ିରେ ବାନ୍ଧି ଘୋଷାଡ଼ି ନେଉଥିବାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୨ ଜଣ ଲୋକ କୁକୁର ବେକକୁ ଚେନ୍‌ରେ ବାଇକ୍‌ ପଛରେ ବାନ୍ଧି ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏନେଇ ସ୍ଥାନୀୟ ପୋଲିସ ଷ୍ଟେଶନରେ ଏକ ଏତଲା ଦାଏର କରାଯାଇଛି। ଅପରପକ୍ଷରେ ଅଲୀଗଡ଼ରେ ଗୋଟିଏ କୁକୁରକୁ କିଛି ଲୋକ ମିଶି ପିଟିପିଟି ମାରିଦେଇଛନ୍ତି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ସ୍ଥାନୀୟ ଚହରା ଅଞ୍ଚଳରେ ଏହା ଘଟିଥିବା ଏସ୍‌ପି ଅତୁଲ ଶର୍ମା କହିଛନ୍ତି। କୁକୁରକୁ ମାରିଥିବା ଲୋକଙ୍କ ବିରୋଧରେ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share