ତେଲକୋଇରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ: ଗୋଟିଏ କୋଠରିରେ ଚାଲିଛି ୩ ଶ୍ରେଣୀ

ତେଲକୋଇ, ୩।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ଭଳି ଭିତ୍ତିଭୂମି ନାହିଁ । ଗୋଟିଏ ଗୋଟିଏ କୋଠରିରେ ୩ଟି ଶ୍ରେଣୀର ପିଲାଙ୍କୁ ଏକାଠି ବସାଇ ପାଠପଢ଼ା ଯାଉଛି । ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆ ନ ଯିବାରୁ ଜଣେ ଶିକ୍ଷକଙ୍କ ଦ୍ୱାରା ସ୍କୁଲ ଅଫିସ କାର୍ଯ୍ୟ ସହିତ ମଧ୍ୟାହ୍ନ ଭୋଜନ ଓ ପାଠପଢ଼ା କାର୍ଯ୍ୟ ପରିଚାଳନା କରାଯାଉଛି। ଏଥିଲାଗି ଶିକ୍ଷା ବ୍ୟବସ୍ଥାର ମୂଳଦୁଆ କୁହାଯାଉଥିବା ପ୍ରାଥମିକ ଶିକ୍ଷା ଦୋହଲି ଯିବାରେ ଲାଗିଛି। ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ ସମସ୍ୟାର କୌଣସି ପ୍ରତିକାର ହେଉ ନାହିଁ ।
ଏହି ବ୍ଲକ ଅଧୀନ ସିରିଗିଡ଼ା ପଞ୍ଚାୟତ ଅଧୀନରେ ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟରେ ୧ମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୭ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶ୍ରେଣୀଗୃହ ଅଭାବ ଯୋଗୁ ଗୋଟିଏ କୋଠରିରେ ୧ମରୁ ୩ୟ ଶ୍ରେଣୀପର୍ଯ୍ୟନ୍ତ ଛାତ୍ରୀଛାତ୍ର ବସି ପାଠପଢ଼ୁଛନ୍ତି। ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଥିବାରୁ ତାଙ୍କ ପକ୍ଷେ କେବଳ ପିଲାଙ୍କୁ ଜଗିବା ସାର ହେଉଛି। ଆଦୌ ପାଠପଢ଼ା ଯାଉ ନ ଥିବରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନର ଏଭଳି ସମସ୍ୟା ଦେଖି ଅନେକ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡୁ ନ ଥିବା କହିଛନ୍ତି। । ଅନ୍ୟପକ୍ଷରେ ବ୍ଲକରେ ଦୀର୍ଘଦିନ ହେବ ଶିକ୍ଷା ବିଭାଗର କେହି ଉଚ୍ଚ ଅଧିକାରୀ ନ ଥିବାରୁ କେନ୍ଦୁଝର ସଦର ବ୍ଲକର ବିଇଓ ଦାୟିତ୍ୱରେ ରହିଛନ୍ତି। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ପ୍ରାଥମିକ ଶିକ୍ଷାରେ ଏଭଳି ଅବ୍ୟବସ୍ଥା ଦେଖା ଦେଇଥିବା ସ୍ଥାନୀୟ ସରପଞ୍ଚ ଜିଙ୍ଗପାଟ ପିଙ୍ଗୁଆ ଅଭିଯୋଗ କରିଛନ୍ତି। ଦାୟିତ୍ୱରେ ଥିବା ବିଇଓ ଜଗବନ୍ଧୁ ସାହୁଙ୍କୁ ପଚାରିବାରୁ ଶିକ୍ଷକ ଓ ଶ୍ରଣୀ ଅଭାବ ସମସ୍ୟା ନେଇ ଜିଲାପାଳଙ୍କୁ ଜଣାଇ ଦିଆଯାଇଛି । ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ।