Categories: ଜାତୀୟ

ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ, ୨।୮(ପି.ଟି.):ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି। ମୁସଲମାନ ସମ୍ପ୍ରଦାୟରେ ଚଳିଆସୁଥିବା ତତ୍କାଳ ତିନି ତଲାକ୍‌ ପ୍ରଥା ଉକ୍ତ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ପ୍ରକାଶିତ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି।
ଫେବୃୟାରୀ ୨୧ରେ ସରକାର ଜାରି କରିଥିବା ଅଧ୍ୟାଦେଶ ସ୍ଥାନରେ ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା) ଆଇନ, ୨୦୧୯ କାର୍ଯ୍ୟକାରୀ ହେବ। ଏହା ମୁସଲମାନ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବ। ମୁସଲମାନ ସ୍ବାମୀ ଲିଖିତ ଭାବେ କିମ୍ବା ମୌଖିକ ଅଥବା ହ୍ବାଟ୍ସଆପ୍‌ କି ଏସ୍‌ଏମ୍‌ଏସ୍‌ ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଚାଟିଂ ମାଧ୍ୟମରେ ଏକକାଳୀନ ତିନି ତଲାକ୍‌ କହି ଆଉ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରିବେ ନାହିଁ। ଏହାକୁ ବେଆଇନ ଭାବେ ଗ୍ରହଣ କରାଯିବ। ଯଦି ମୁସଲମାନ ସ୍ବାମୀ ଆଇନର ଅମାନ୍ୟ କରି ସ୍ତ୍ରୀଙ୍କୁ ତିନି ତଲାକ୍‌ କହି ଛାଡ଼ପତ୍ର ଦିଅନ୍ତି, ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ସାଙ୍ଗକୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ।
ତିନି ତଲାକ୍‌ ବିଲ୍‌ ମଙ୍ଗଳବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଥିଲା। ଉଚ୍ଚ ସଦନରେ ଏନ୍‌ଡିଏ ସଂଖ୍ୟାଗରିଷ୍ଠ ନ ଥିବା ସତ୍ତ୍ୱେ ବିଲ୍‌ ସପକ୍ଷରେ ୯୯ ଓ ବିପକ୍ଷରେ ୮୪ ଭୋଟ ପଡିଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର କେତେକ ସଦସ୍ୟ ଅନୁପସ୍ଥିତ ରହିବା ଫଳରେ ବିଲ୍‌ ଗୃହୀତ ହେବା ସହଜ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ ଏହି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲେ ହେଁ ରାଜ୍ୟ ସଭାରେ ତାହା ଅଟକି ରହିଥିଲା। ଗତ ସପ୍ତାହରେ ଉକ୍ତ ବିଲ୍‌ ପୁଣିଥରେ ଲୋକ ସଭାର ଅନୁମୋଦନ ଲାଭ କରିଥିଲା। ତିନି ତଲାକ୍‌ ଆଇନ ଅନୁଯାୟୀ ପୋଲିସ ବିନା ଓ୍ବାରେଣ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ। ତେବେ ଆଇନର ଅପବ୍ୟବହାର ହେବା ସମ୍ଭାବନା ଥିବାରୁ ଏହାକୁ ରୋକିବା ଲାଗି କେବଳ ସମ୍ପୃକ୍ତ ମହିଳା କିମ୍ବା ତାଙ୍କ ରକ୍ତସମ୍ପର୍କୀୟଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବ୍ୟବସ୍ଥା ରହିଛି। ଅଭିଯୋଗକାରିଣୀ ମହିଳାଙ୍କ ମତାମତ ଶୁଣିବା ପରେ ମାଜିଷ୍ଟ୍ରେଟ ଅଭିଯୁକ୍ତ ସ୍ବାମୀଙ୍କୁ ଜାମିନ ମଞ୍ଜୁର କରିପାରିବେ। ଉକ୍ତ ଆଇନ ବଳରେ ମହିଳା ଜଣକ ନିଜ ପାଇଁ ଓ ନାବାଳକ ପିଲାଙ୍କ ପାଇଁ ଭରଣପୋଷଣ ଦାବି କରିପାରିବେ।

Share