ତିତ୍‌ଲି ପୁନରୁଦ୍ଧାର, ରୁରାଲ ହାଉସିଂ ଅଧାପନ୍ତରିଆ

ଛତ୍ରପୁର,୨୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)ର ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ କାର୍ଯ୍ୟାଳୟର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ତିତ୍‌ଲି ବାତ୍ୟାରେ ବ୍ୟାପକ କ୍ଷତି ହୋଇଥିଲା। କ୍ଷତି ହୋଇଥିବା ପ୍ରକଳ୍ପର ପୁନରୁଦ୍ଧାର ଓ ରୁରାଲ ହାଉସିଂ ନିର୍ମାଣ କାର୍ଯ୍ୟ ଜିଲାରେ ଅଧାପନ୍ତରିଆ ରହିଛି। ଏହିସବୁ କାମ ସାରିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୨୦୧୯-୨୦ ଆର୍ଥିକ ବର୍ଷରେ ୯,୪୯୪ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିମଧ୍ୟରୁ ୨୮ ଗୃହ ନିର୍ମାଣ ଶେଷ ହୋଇଛି ା ସେହିପରି ଚଳିତବର୍ଷ ବିଭିନ୍ନ ଆବାସ ଯୋଜନାରେ ୨୧, ୩୯୮ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨,୩୫୬ଟି ଘର ନିର୍ମାଣ ହୋଇଛି। ପାତ୍ରପୁର, ଜଗନ୍ନାଥପ୍ରସାଦ, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଭଞ୍ଜନଗର, ଧରାକୋଟ, ବେଲଗୁଣ୍ଠା, ସାନଖେମୁଣ୍ଡି, ବେଗୁନିଆପଡା, ଛତ୍ରପୁର ଓ ସୋରଡା ବ୍ଲକରେ ଏହି ଗୃହ ନିର୍ମାଣ କାର୍ଯ୍ୟ ଧିମା ରହିଛି ା ଜିଲାରେ ୩୨,୭୨୨ ପାଇଖାନା ନିର୍ମାଣ ହେବାକୁ ବାକି ରହିଛି ା ସେଥିମଧ୍ୟରେ ୨୮,୯୪୮ ପାଇଖାନା ନିର୍ମାଣ କାର୍ଯ୍ୟ ଚାଲିଛି। ୩,୭୭୪ ପାଇଖାନା ନିର୍ମାଣ କାମ ଆରମ୍ଭ ହୋଇନି ା ଅନ୍ୟପକ୍ଷରେ ତିତ୍‌ଲିରେ କ୍ଷତି ହୋଇଥିବା ୬୭୨୯ ପ୍ରକଳ୍ପ ମଧ୍ୟରୁ ୫୦୧୧ ଟିର କାମ ସରିଛି ା ଏଥିମଧ୍ୟରେ ୩୭୩୩ ଅଙ୍ଗନଓ୍ବାଡି କେନ୍ଦ୍ରରୁ ୩୧୮୭ଟିର କୋଠା ନିର୍ମାଣ ଶେଷ ହୋଇଛି ା ୨୦୧୮-୧୯ରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ କୁକୁଡାଖଣ୍ଡି, ଧରାକୋଟ, ସୋରଡା, କବିସୂର୍ଯ୍ୟନଗର, ପୋଲସରା, ବେଲଗୁଣ୍ଠା ଓ ବୁଗୁଡାରେ କାମ ଧିମା ରହିଛି ା ବିଭିନ୍ନ ପଞ୍ଚାୟତରେ ୧୯୨ କଲ୍ୟାଣମଣ୍ଡପ ମଧ୍ୟରୁ ୩୫ଟିର କାମ ସରିଛି ା ୫୧ କଲ୍ୟାଣ ମଣ୍ଡପ କାମ ଆରମ୍ଭ ହୋଇନି। ସେହିପରି ୧୦୦ଟି ମାର୍କେଟ କମ୍ପ୍ଲେକ୍ସ ମଧ୍ୟରୁ ୪୮ଟିର କାମ ଶେଷ ହୋଇଛି ା ୧୮ଟି କାମ ଆରମ୍ଭ ହୋଇ ନ ଥିବା ଜଣାପଡିଛି ା ବୈଠକରେ ଡିଆରଡିଏ ଏପିଡି ରବି ନାରାୟଣ ତ୍ରିପାଠୀଙ୍କ ସମେତ ବିଡିଓ, ଯନ୍ତ୍ରୀମାନେ ଯୋଗ ଦେଇଥିଲେ ା