ତାରାତାରିଣୀ ପୀଠରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେଉଛି ପ୍ରଶାସନ, ଟୁଇଟ୍‌ କରି ଜଣାଇଲେ ଜିଲାପାଳ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଗଞ୍ଜାମ ଜିଲାର ଆରାଧ୍ୟ ଦୈବୀପୀଠ ମା’ ତାରାତାରିଣୀ ମନ୍ଦିର ମାସେରୁ ଉର୍ଦ୍ଧ୍ୱ ହେଲା ବନ୍ଦ ରହିଛି। ଏପରିକି ମାସେ ଧରି ଚାଲିଥିବା ଚୈତ୍ର ଯାତ୍ରା କେବଳ ପୂଜାବିଧିରେ ଶେଷ ହୋଇଛି। ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଅନୁଧ୍ୟାନ କରୁଥିଲେ। ତାରାତାରିଣୀ ପୀଠ ଓ ଏଠାକୁ ଯିବା ପାଇଁ ଥିବା ପାହାଡ଼ରେ ଶତାଧିକ ମାଙ୍କଡ଼ ଅଛନ୍ତି। ଭକ୍ତଙ୍କ ପ୍ରବେଶ ନିଷେଧ ପରେ ଏମାନଙ୍କ ଖାଦ୍ୟ କଥା ପ୍ରଶାସନ ବୁଝୁଛି। ଦୈନିକ ପୁରୁଷୋତ୍ତମପୁର ବିଡ଼ିଓ ଓ ତାଙ୍କ ଟିମ୍‌ ତାରାତାରିଣୀଠାରେ ମାଙ୍କଡ଼ ମାନଙ୍କୁ ଖାଇବାକୁ ଦେଇ ଆସୁଥିବା ଜିଲାପାଳ ଶୁକ୍ରବାର ଫଟୋ ସହ ଟୁଇଟ୍‌ କରି ଜଣାଇଛନ୍ତି। ପୀଠକୁ ଭକ୍ତମାନେ ଯାଉଥିବାବେଳେ ଭୋଗ କରିବା ପରେ ମାଙ୍କଡମାନଙ୍କୁ କଦଳୀ, ନଡ଼ିଆ, ଫଳ, ଖେଚୁଡ଼ି ଆଦି ଖାଇବାକୁ ଦେଇଥାନ୍ତି। ଲକ୍‌ଡାଉନ ଯୋଗୁ ଭକ୍ତ ସେଠାକୁ ଯାଇପାରୁ ନ ଥିବାରୁ ପ୍ରଶାସନ ସେମାନଙ୍କ କଥା ବୁଝୁଛି।