ତାମିଲନାଡୁରେ ଅଟକି ରହିଛନ୍ତି ଶ୍ରମିକ

ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସାମାଜିକ ଜୀବନଯାତ୍ରାରେ ମଧ୍ୟ ପ୍ରତିବନ୍ଧକ ସାଜିଛି। ତେଣୁ କରୋନା କଟକଣାରେ ଜିଲା, ରାଜ୍ୟ ବାହାରେ ଶ୍ରମିକମାନେ ଅଟକି ରହିଛନ୍ତି । ସେମାନେ ନିଜ ଜନ୍ମମାଟିକୁ ଫେରିବା ପାଇଁ ସାମାଜିକ ଗଣମାଧ୍ୟମ ଜରିଆରେ କାକୁତିମିନତୀ କରିଛନ୍ତି। ସମ୍ବଲପୁର ଜିଲା ଯୁଯୁମୁରା ବ୍ଳକ ଅଞ୍ଚଳର ୧୦ଜଣ ଶ୍ରମିକଙ୍କ ମଧ୍ୟରେ ୨ଜଣ ମହିଳା ମଧ୍ୟ ତାମିଲନାଡୁ ଭିଲିୟମପାଲିୟମ୍‌ଠାରେ ଅଟକି ରହିଛନ୍ତି। ଶ୍ରମିକମାନେ ସେଠାକାର ପ୍ରଶାସନକୁ ବାରମ୍ବାର ଅନୁରୋଧ କରୁଛନ୍ତି । କିନ୍ତୁ କିଛି ସୁଫଳ ମିଳୁନାହିଁ । ତେଣୁ ସେମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଓଡିଶା ସରକାରଙ୍କୁ ମଙ୍ଗଳବାର ନିବେଦନ କରିଛନ୍ତି। ଯୁଯୁମୁରା ଅଞ୍ଚଳର ଏହି ଶ୍ରମିକମାନେ ଭିଲିୟମପାଲିୟମ୍‌ଠାରେ ଥିବା କପଡା ତିଆରି କମ୍ପାନୀରେ କାମ କରୁଥିଲେ। କମ୍ପାନୀର ମାଲିକ ବମ୍ବେରେ ରହନ୍ତି। ଲକ୍‌ ଡାଉନ ହେବା ପୂର୍ବରୁ କମ୍ପାନୀ ମାଲିକ ଶ୍ରମିକମାନଙ୍କୁ କିଛି ଟଙ୍କା ଦେଇଥିଲେ, ଯାହାକି ବର୍ତ୍ତମାନ ଖର୍ଚ୍ଚ ହୋଇଗଲାଣି। ଅପରପକ୍ଷେ ଦେଶସାରା ଲକ୍‌ ଡାଉନ ଯୋଗୁ ଏହି ଶ୍ରମିକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଫଳରେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ତେଣୁ ସେମାନଙ୍କୁ ରାଜ୍ୟ ସରକାର ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ।