ତହସିଲ, ଆରଆଇ ଅଫିସରେ କର୍ମଚାରୀ ଅଭାବ: ୬୧ରୁ ୩୦ ପଦବୀ ଖାଲି

ରାଜନଗର, ୧୮।୯ (ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ତହସିଲ ଓ ଆର୍‌ଆଇ ଅଫିସ୍‌ରେ କର୍ମଚାରୀ ଅଭାବ ଯୋଗୁ ସରକାରୀ କାର୍ଯ୍ୟରେ ବିଳମ୍ବ ହେଉଛି। ସାଧାରଣ ଲୋକଙ୍କ କାମ ଠିକ୍‌ ସମୟରେ ହୋଇପାରୁ ନ ଥିବା ବେଳେ ଦିନ ଦିନ ଧରି ଦୌଡ଼ିବାକୁ ପଡ଼ୁଛି। ରାଜନଗର ତହସିଲ ଅଫିସରେ ଜଣେ ସିନିୟର କ୍ଲର୍କ, ୬ ଜୁନିୟର କ୍ଲର୍କ, ୬ ଆରଆଇ, ୩ ଏଆର୍‌ଆଇ, ଜଣେ ଅମିନ, ୭ ପିଅନ, ଜଣେ କଲେକ୍ସନ ପିଅନ, ୨ ୱାଚମ୍ୟାନ, ୨ ସୁଇପର ଓ ଜଣେ ବୋଟମ୍ୟାନ ପଦବୀ ଖାଲିପଡିଛି। ତହସିଲଦାରଙ୍କ ସମେତ ୬୧ ପଦବୀ ମଧ୍ୟରୁ ୩୦ ପଦବୀ ଖାଲିରହିଛି। ରାଜନଗର ତହସିଲ ୩୦୬ ରାଜସ୍ବ ଗ୍ରାମକୁ ନେଇ ଗଠିତ। ଏହି ତହସିଲ ଅଧୀନରେ ୭ଟି ଆରଆଇ ସର୍କଲ ରହିଛି। ରଙ୍ଗଣୀ, କେରଡ଼ାଗଡ଼, ଭିତରଗଡ଼ରେ ରାଜସ୍ବ ନିରୀକ୍ଷକ ଥିବାବେଳେ ଗୁପ୍ତି, ରାଜନଗର, ରିଘାଗଡ, ତାଳଚୁଆ ସର୍କଲକୁ ଏଆର୍‌ଆଇ ଚଳାଉଛନ୍ତି। କେରଡ଼ାଗଡ ଓ ରାଜନଗରରେ ଜଣେ ଜଣେ ପିଅନ ଥିବାବେଳେ ଅନ୍ୟ କୌଣସି ରାଜସ୍ବ ସର୍କଲରେ ପିଅନ ନାହାନ୍ତି। ଜଣେ ଆରଆଇ କିମ୍ବା ଏଆର୍‌ଆଇ ତଦନ୍ତ ପାଇଁ କାର୍ଯ୍ୟାଳୟ ବାହାରକୁ ଗଲେ, କାର୍ଯ୍ୟାଳୟରେ ତାଲା ପଡୁଛି। ଫଳରେ ଅନେକ ଲୋକ ବିଭିନ୍ନ କାର୍ଯ୍ୟରେ ଦୂରଦୂରାନ୍ତରୁ ଆସି ଫେରିବାକୁ ବାଧ୍ୟ ହେଉଛନ୍ତି। ଏହାବାଦ ଭିତରଗଡ ଆର୍‌ଆଇ ସର୍କଲ ୯୨ଟି ଗାଁକୁ ନେଇ ଗଠିତ। ଏଠାରେ ଜଣେ ଆର୍‌ଆଇ ଓ ଜଣେ ପିଅନ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛନ୍ତି। ତୁରନ୍ତ ଖାଲି ପଦବୀ ପୂରଣ ପାଇଁ ଦାବି ହୋଇଛି।