ଢେଙ୍କାନାଳ: ୩୩ ମଣ୍ଡପରେ ପୂଜାର୍ଚ୍ଚନା

ଢେଙ୍କାନାଳ ଅଫିସ, ୨ା୯

ଆଉ କେଇ ଘଣ୍ଟା ପରେ ଆରମ୍ଭ ହେବ ବିଘ୍ନରାଜ ଗଜାନନଙ୍କ ପୂଜାର୍ଚ୍ଚନା। ଏହି ଗଣପର୍ବରେ ନିଜକୁ ସାମିଲ କରିଛି ସାଂସ୍କୃତିକ ସହର ଢେଙ୍କାନାଳ। ୮ଦିନ ବ୍ୟାପୀ ହେବାକୁ ଥିବା ଏହି ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇ ସାରିଥିବାବେଳେ ରଙ୍ଗିନ ଆଲୋକମାଳାର ରୋଶଣିରେ ଝଲସୁଛି ସମଗ୍ର ସହର।
ଚଳିତବର୍ଷ ୩୩ ପୂଜାମଣ୍ଡପରେ ଗଣପତିଙ୍କୁ ଆବାହନ କରାଯିବ। ଏହାକୁ ନେଇ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ପୁରାଣ ବର୍ଣ୍ଣିତ କାହାଣୀ, ସାମ୍ପ୍ରତିକ ପରିସ୍ଥିତିକୁ ନେଇ ମଣ୍ଡପରେ ସାଜସଜ୍ଜା କରାଯାଇଛି। ସହରର ପ୍ରମୁଖ ପୂଜାମଣ୍ଡପ ଗଣେଶ ବଜାରରେ ପୂର୍ବାହ୍ନ ସାଢ଼େ ୮ଟାରେ ପୂଜା ଆରମ୍ଭ ହେବ। ୯ ତାରିଖରେ ମିଳିତ ଗଣେଶ ପୂଜା ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ମେଢ ସାମିଲ ହେବା କାର୍ଯ୍ୟକ୍ରମ ରହିଥିବା ମିଳିତ ଗଣେଶ ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା ସୂଚନା ଦେଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ପରିବେଶ ସୁରକ୍ଷା ପାଇଁ ପଲିଥିନ, ପ୍ଲାଷ୍ଟିକ୍‌କୁ ନିଷିଦ୍ଧ କରାଯାଇଛି। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ କମିଟି ସଭାପତି ସୁଧାଂଶୁ ଦଳେଇ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।