ଢେଙ୍କାନାଳ ସହରରେ ସିରିଜ ଦୁର୍ଘଟଣାକୁ ନେଇ ଉତ୍ତେଜନା:୪ ବାଇକ୍‌କୁ ଧକ୍କା ଦେଲା କାର୍‌

ଢେଙ୍କାନାଳ ଅଫିସ,୨୮ା୧୨

ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପଛପାଖ କଚେରୀ ରୋଡ୍‌ରେ ଶୁକ୍ରବାର ସିରିଜ ଦୁର୍ଘଟଣା ଘଟିଛି। ନିଶାଶକ୍ତ ଅବସ୍ଥାରେ ଥିବା ଏକ କାର୍‌ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ରାସ୍ତାର ବାମ ପାର୍ଶ୍ୱରେ ୪ଟି ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ବାଇକ୍‌ଗୁଡ଼ିକ ଭାଙ୍ଗିରୁଜି ଯାଇଥିଲା। ଦୁର୍ଘଟଣା ଘଟାଇ କାର ଚାଳକ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମାରେ ଦେଇଥିଲେ। ଚାଳକ ଜଣକ ମଦ୍ୟପାନ କରିଥିବା ପୋଲିସ ପ୍ରକାଶ କରିଛି।
ଅପରାହ୍ନ ପ୍ରାୟ ୪ଟାରେ ହଠାତ୍‌ ସହରର ଜନଗହଳି ରାସ୍ତାରେ ଏକ କାର୍‌ (ନଂ. ଓଆର.୦୬ଜେ-୮୭୫୦) ଦ୍ରୁତ ଗତିରେ ଯାଉଥିବା ଦେଖି ଲୋକମାନେ ଆତଙ୍କିତ ହୋଇପଡିଥିଲେ। କିନ୍ତୁ ଉକ୍ତ କାର୍‌ ଚାଳକ ରାସ୍ତା ପାର୍ଶ୍ୱରେ ଥୁଆ ହୋଇଥିବା ଗୋଟିଏ ପରେ ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିଲେ। ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟାଉନ ଥାନା ପୋଲିସ କାର୍‌ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏ ସଂକ୍ରାନ୍ତରେ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ କହିଛନ୍ତି, କାର୍‌ ଚାଳକ ନିଶାଶକ୍ତ ଥିବା ଜଣାପଡ଼ିଛି। ମଦପିଇ ଗାଡି ଚଳାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ରହିଛି ା ଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।