ଢାବାରେ ଚଢ଼ାଉ: ୯୬ ଲିଟର ବିଦେଶୀ ମଦ ଜବତ, ମାଲିକ କୋର୍ଟଚାଲାଣ

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସର୍କଲ ପୋଲିସ ସୋମବାର ରାତିରେ ବାଶିଙ୍ଗ ଗ୍ରାମ ନିକଟ ୨୨୦ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢାବା ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ବେଆଇନ ଭାବେ ଗଚ୍ଛିତ ଥିବା ବିଭିନ୍ନ ବ୍ରାଣ୍ଡର ୯୬ ଲିଟର ବିଦେଶୀ ମଦ ଜବତ ହୋଇଛି। ଏହାର ମୂଲ୍ୟ ୫୫ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଏହା ସହ ଢାବା ମାଲିକ ତପନ କୁମାର ସାହୁଙ୍କୁ ପୋଲିସ ଗିରଫ କରିଛି। କେସ ନଂ.୨୮/୨୦ରେ ମାମଲା ରୁଜୁ ହୋଇଥିବା ବେଳେ ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ସର୍କଲ ଏସ୍‌ଡିପିଓ ସ୍ନେହାଶିଷଙ୍କ ନେତୃତ୍ୱରେ ବହଳଦା ଥାନା ପୋଲିସ ଏହି ଚଢ଼ାଉ କରିଥିଲା।