ଡ୍ରାଇଭରଙ୍କ ପାଇଁ ବର୍ଷକର ଦରମା ଦେଲେ ଓଲା ସିଇଓ

ନୂଆଦିଲ୍ଲୀ, ୨୮।୩- କରୋନା ପାଇଁ ୨୧ ଦିନ ଲକ୍‌ଡାଉନ୍‌ ରହିଛି ସାରାଦେଶ। ଏଥିଯୋଗୁ ଅନେକ ଲୋକଙ୍କ ସମସ୍ୟା ବଢ଼ିଯାଇଥିବା ବେଳେ ରାଇଡ୍‌ ସେୟାରିଂ ପ୍ଲାଟଫର୍ମ ଓଲା କମ୍ପାନୀ ସହ ଜଡ଼ିତ ଡ୍ରାଇଭରମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଓଲାର କୋ-ଫାଉଣ୍ଡର ତଥା ସିଇଓ ଭବିଶ ଅଗ୍ରଓ୍ବାଲ। କମ୍ପାନୀ ପକ୍ଷରୁ ‘ଡ୍ରାଇଭ୍‌ ଫର୍‌ ଡ୍ରାଇଭର ଫଣ୍ଡ’ ଆରମ୍ଭ ହୋଇଛି, ଯାହାଦ୍ୱାରା ଓଲା ସହ ଜଡ଼ିତ କ୍ୟାବ୍‌, ଅଟୋ ରିକ୍ସା ଓ ଟ୍ୟାକ୍ସି ଡ୍ରାଇଭରମାନଙ୍କ ପାଇଁ କ୍ରାଉଡପଣ୍ଡିଂ ଯୋଗେ ୫୦ କୋଟି ଟଙ୍କା ଯୋଗାଡ଼ କରାଯିବ। ଏହି ଫଣ୍ଡ ପାଇଁ ଓଲା କମ୍ପାନୀ କର୍ମଚାରୀମାନେ ୨୦ କୋଟି ଟଙ୍କା ଦେଉଥିବା ବେଳେ ଓଲା ସିଇଓ ଭବିଶ ଅଗ୍ରଓ୍ବାଲ ତାଙ୍କ ଆସନ୍ତା ବର୍ଷକର ଦରମା ଏହି ଫଣ୍ଡକୁ ଦାନ କରିବେ। ଦେଶବ୍ୟାପୀ ଲକ୍‌ଡାଉନ୍‌ ଲକ୍ଷାଧିକ ଡ୍ରାଇଭର ଓ ସେମାନଙ୍କ ପରିବାର ପାଇଁ ସଙ୍କଟ ସୃଷ୍ଟି କରିଛି। ସେମାନଙ୍କ ସହଯୋଗ କରିବା ସକାଶେ ଓଲା ‘ଡ୍ରାଇଭ୍‌ ଫର୍‌ ଡ୍ରାଇଭର’ ଫଣ୍ଡ ଆରମ୍ଭ ହୋଇଛି ବୋଲି କମ୍ପାନୀର ପ୍ରବକ୍ତା ତଥା କମ୍ୟୁନିକେଶନ ମୁଖ୍ୟ ଆନନ୍ଦ ସୁବ୍ରମଣିୟାନ୍‌ କହିଛନ୍ତି। ବିଶ୍ୱବ୍ୟାପୀ କରୋନା ମହାମାରୀ ରୂପ ନେଇଥିବା ବଳେ ଭାରତରେ ଅଦ୍ୟାବଧି ୨୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ବହୁ କମ୍ପାନୀ, ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ଆଦି ବନ୍ଦରହିଛି। ଯେଉଁଥିପାଇଁ ସାଧାରଣ ଲୋକେ ସଙ୍କଟ ସମୟ ଦେଇ ଗତି କରୁଛନ୍ତି।

Share