ଡେରାବିଶରେ ୩ କରୋନା ପଜିଟିଭ ଚିହ୍ନଟ, କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା

କେନ୍ଦ୍ରାପଡା ଅଫିସ/ଡେରାବିଶ(ସ୍ବ.ପ୍ର.), ୧୮ା୫: ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ସୁଦର୍ଶନ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କଲିକତା ଫେରନ୍ତା ବ୍ୟକ୍ତିଙ୍କ ସ୍ବାବ ନମୁନା ସଂଗ୍ରହ ହୋଇଥିଲା। ଏମାନଙ୍କ ମଧ୍ୟରୁ ୩ ଜଣ କରୋନା ଆକ୍ରାନ୍ତ ବୋଲି ରବିବାର ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ରହିଥିବା ବେଳେ ଜଣେ ଆଳି ବ୍ଲକ ଅଞ୍ଚଳର। ଚିହ୍ନଟ ପରେ ଆକ୍ରାନ୍ତମାନଙ୍କୁ କଟକ କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତାର କରାଯାଇଛି। ଏହି ୩ଜଣଙ୍କ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା ସୋମବାର ସୂଚନା ପ୍ରଦାନ କରି କହିଛନ୍ତି ଯେ, ଆକ୍ରାନ୍ତମାନେ ଗତ ୯ ତାରିଖରେ କୋଲକାତାରୁ ଆସି ସଂଗରୋଧ କେନ୍ଦ୍ରରେ ରହିଥିଲେ। କେନ୍ଦ୍ର ନିକଟରେ ସିଆରପିସି ଧାରା ୧୪୪ ଲାଗୁ ହୋଇଥିବାରୁ କଣ୍ଟେନମେଣ୍ଟ ଜୋନର ଆବଶ୍ୟକତା ନାହିଁ। ତେବେ ଆକ୍ରାନ୍ତଙ୍କ ସହ ରହୁଥିବା ସଂଗରୋଧ କେନ୍ଦ୍ରର ୫୦ ଜଣଙ୍କ ସ୍ବାବ ନମୁନା ସଂଗ୍ରହ ହୋଇଛି।