ଡେରାବିଶରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ୬୮ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ

ଡେରାବିଶ,୭ା୫(ସ୍ବ.ପ୍ର.): ଲକ୍‌ଡାଉନ୍‌ରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତରେ ସମୁଦାୟ ୬୮ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି।ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସମ୍ପୃକ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସମୁଦାୟ ୩୩୦୦ ଶଯ୍ୟା ବ୍ୟବସ୍ଥା କରାଯିବା ସହିତ ସେମାନଙ୍କ ଖାଦ୍ୟପେୟ, ସ୍ବାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସଂପୃକ୍ତ ପଞ୍ଚାୟତଗୁଡ଼ିକର ସରପଞ୍ଚମାନେ ଦାୟିତ୍ୱରେ ରହିଛନ୍ତି। ବିଭିନ୍ନ ପଞ୍ଚାୟତରେ ହୋଇଥିବା ପଞ୍ଜିକୃତଙ୍କ ମଧ୍ୟରୁ ବୁଧବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ମଧ୍ୟରୁ ସମୁଦାୟ ୭୫ ଜଣ ପ୍ରବାସୀ ଟ୍ରେନ୍‌ ଓ ବସ୍‌ ଯୋଗେ ଆସି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିସାରିଥିବା ବିଡିଓ ଗୋପବନ୍ଧୁ ଭୋସାଗର ସୂଚନା ଦେଇଛନ୍ତି।