Categories: ବାଣିଜ୍ୟ

ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ୭.୩୫% ସ୍ତର ଛୁଇଁଲା

 

ନୂଆଦିଲ୍ଲୀ,୧୪-୧: ବଜାରରେ ଏବେ ଦରଦାମ ବଢୁଛି। ଚଳିତ ବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ୫ ବର୍ଷର ସର୍ବୋଚ୍ଚ ସ୍ତର ଟପି ୭.୩୫% ସ୍ତରରେ ରହିଛି। ମୁଦ୍ରାସ୍ଫୀତିକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଥିଲା। ହେଲେ ଏହି ସ୍ତର ଟପିଯାଇଥିବା ଜଣାପଡିଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ବିଶେଷ କରି ପନିପରିବା ଏବଂ ପିଆଜ ଦର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ପକ୍ଷରୁ ସୋମବାର ଜାରି କରାଯାଇଥିବା ଡାଟା ମୁତାବକ ଏହି ସମୟରେ ପରିପରିବା ବର୍ଗରେ ମୁଦ୍ରାସ୍ଫୀତି ବୃଦ୍ଧିଘଟି ୬୦.୫% ସ୍ତର ଛୁଇଁଛି। ୨୦୧୮ ଡିସେମ୍ବରରେ ସାମଗ୍ରିକ ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ୨.୧୧% ରହିଥିଲା। ସେହିଭଳି ୨୦୧୯ ନଭେମ୍ବରରେ ଏହା ୫.୫୪% ସ୍ତରରେ ଥିଲା।
ଏନ୍‌ଏସ୍‌ଓ ଡାଟା ମୁତାବକ, ଖାଦ୍ୟ ବର୍ଗରେ ମୁଦ୍ରାସ୍ଫୀତି ୧୪.୧୨% ବଢିଛି। ଏହା ୨୦୧୮ ଡିସେମ୍ବରରେ (-) ୨.୬୫% ସ୍ତରରେ ରହିଥିଲା। ଚଳିତ ବର୍ଷ ନଭେମ୍ବରରରେ ଏହି ବର୍ଗରେ ମୁଦ୍ରାସ୍ଫୀତି ୧୦.୦୧% ରହିଥିଲା। ଏହା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କ ପ୍ରଥମ ପାଳିରେ ଖୁଚୁରା ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତର ୭.୩୯% ରହିଥିଲା। ଚଳିତ ବର୍ଷ ଡିସେମ୍ବରରେ ଡାଲିଜାତୀୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ୧୫.୪୪% ରେକର୍ଡ କରାଯାଇଛି। ଏହାବାଦ ମାଂସ ଏବଂ ମାଛ ବର୍ଗରେ ଏହା ପ୍ରାୟ ୧୦% ବଢିଛି। ମୁଦ୍ରାସ୍ଫୀତିକୁ ୪% ସ୍ତରରେ ରଖିବା ଲାଗି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ ପରାମର୍ଶ ଦେଇଥିଲେ। ଫେବୃୟାରୀ ୬ ରିଜର୍ଭ ବ୍ୟାଙ୍କ ଏହାର ପରବର୍ତ୍ତି ଦ୍ୱିମାସିକ ସୁଧହାର ବା ରେପୋ ହାର ଘୋଷଣା କରିବ। ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତିକୁ ଏହା ନିଶ୍ଚିତ ପକ୍ଷେ ବିଚାରକୁ ନେବ। ଡିସେମ୍ବର ପଲିସିରେ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତି ବୃଦ୍ଧି ଆଶଙ୍କା କରି ସୁଧହାର ଅପରିବର୍ତ୍ତିତ ରଖିଥିଲା।

Share