Categories: ଜାତୀୟ

ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ନୋଟିସ ଜାରି କରିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଯୋଗୁ ମାନବାଧିକାର ଉଲ୍ଲଂଘନ ହୋଇଥିବା ନେଇ ଏନ୍‌ଏଚ୍‌ଆର୍‌ସିରେ ଏକାଧିକ ଅଭିଯୋଗ ହୋଇଥିଲା। ୪ ସପ୍ତାହ ମଧ୍ୟରେ ନୋଟିସର ଜବାବ ଦେବା ପାଇଁ ଡିଜିପିଙ୍କୁ କୁହାଯାଇଛି।
ଉତ୍ତରପ୍ରଦେଶର ବିଭିନ୍ନ ଜିଲାରେ ସିଏଏ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା ଏବଂ ପୋଲିସ ଗୁଳିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ପୋଲିସ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ଏବଂ ଲୋକଙ୍କ ଶାନ୍ତିପୂର୍ଣ୍ଣ ସମାବେଶ ଅଧିକାରକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ବୋଲି ଏନ୍‌ଏଚ୍‌ଆର୍‌ସି କହିଛି। ଗୁଳି ଚଳାଇଥିବା କଥାକୁ ପୋଲିସ ଅସ୍ବୀକାର କରୁଥିବାବେଳେ ସେମାନେ ଗୁଳି ଚଳାଇଥିଲେ ବୋଲି ଖବର ପ୍ରକାଶ ପାଇଆସୁଛି। ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରି ପୋଲିସ ସେମାନଙ୍କ ଦୋକାନ ସିଲ୍‌ କରିଦେଇଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି।

Share