ଡିଜିଟାଲ ସୋଲାର ଛତା

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ସହରରେ ଗ୍ରୀଷ୍ମର ପ୍ରଭାବ ଅସହ୍ୟ ହୋଇଥାଏ। ପୁଣି ମେ’ମାସର ଟାଣଖରା। ଚଳିତବର୍ଷ ଲକ୍‌ଡାଉନ ଯୋଗୁ ସାଧାରଣ ଲୋକେ ଘରେ ପଙ୍ଖା ଓ ଏସି ତଳେ ରହି ଏଥିରୁ ତ୍ରାହିପାଇଛନ୍ତି। ଯଦିଓ ଜରୁରୀ କାମରେ ବାହାରକୁ ଯାଉଛନ୍ତି, ଛତା ନେଇ ଯାଉଛନ୍ତି। କିନ୍ତୁ କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା ଯୋଦ୍ଧାମାନେ ଖରାରେ ନିଜ କର୍ତ୍ତବ୍ୟ ଜାରି ରଖିଛନ୍ତି। ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ୁଥିବାରୁ ବିଶେଷକରି ଲକ୍‌ଡାଉନ୍‌ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କଷ୍ଟ ବଢ଼ିଯାଇଛି। ପରିବାରକୁ ପଛରେ ପକାଇ ଏମାନେ ଜନସାଧାରଣଙ୍କୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ନିଷ୍ଠାର ସହ କର୍ତ୍ତବ୍ୟ କରୁଛନ୍ତି। ପ୍ରବଳ ଖରାରେ ଏମାନଙ୍କୁ ପାଟ୍ରୋଲିଂ କରୁଥିବା ଦେଖି ଅହମ୍ମଦାବାଦର ୨୩ ବର୍ଷୀୟ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଅଦିବ୍‌ ମନ୍‌ସୁରି ସେମାନଙ୍କ ସୁରକ୍ଷା ପାଇଁ କିଛି କରିବାକୁ ଚିନ୍ତା କରିଥିଲେ। ସେ ନିଜ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକରି ଡିଜିଟାଲ ସୋଲାର ଛତା ତିଆରି କରିଛନ୍ତି। ଏହି ଛତା କେବଳ ଖରାଦାଉରୁ ରକ୍ଷା କରୁନାହିଁ, ଥଣ୍ଡା ପବନ ଦେବାରେ ମଧ୍ୟ ସକ୍ଷମ। ଅଦିବ୍‌ଙ୍କ ଛତାରେ ଏକ ଛୋଟ ପଙ୍ଖା, ଚାର୍ଜିଂ ସକେଟ ରହିଛି। ସେହିପରି ୨୦ ଓ୍ବାଟ୍‌ କ୍ଷମତା ବିଶିଷ୍ଟ ସୋଲାର ପାନେଲ ଏବଂ ରାତିରେ ବ୍ୟବହାର ପାଇଁ ବ୍ୟାଟେରି ବ୍ୟାକ୍‌ଅପ୍‌ ମଧ୍ୟ ରହିଛି। ଏହାକୁ ତିଆରି କରିବା ପାଇଁ ୩ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସେ ପୋଲିସ କର୍ମଚାରୀଙ୍କ ସୁରକ୍ଷାା ପାଇଁ ୨ଟି ଛତା ମାଗଣାରେ ଦେଇଛନ୍ତି। ସେମାନଙ୍କୁ ଏହା ବେଶ୍‌ ପସନ୍ଦ ମଧ୍ୟ ଆସିଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ପରସ୍ପର ସହଯୋଗର ଆବଶ୍ୟକତା ରହିଥିବାବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଭାବେ ଏହା ମୋର ଯୋଗଦାନ ବୋଲି ସେ କହିଛନ୍ତି। ଏହି ଛତା ରାସ୍ତାକଡ଼ର ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ହୋଇପାରିବ ବୋଲି ସେ କହିଛନ୍ତି।

Share