ଡିଏନ୍‌ଏରୁ ଜଣାପଡ଼ିବ ଭବିଷ୍ୟତରେ ଶିଶୁ ଡାକ୍ତର ଅବା ହେବ ଇଞ୍ଜିନିୟର…

ଭବିଷ୍ୟତରେ ଶିଶୁ କେଉଁ ପେଶାରେ ରହିବ ତାହା ଡିଏନ୍‌ଏରୁ ଜଣାପଡ଼ିବ। ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୁତ୍ରରେ ଥିବା ଡିଏନ୍‌ଏରୁ ସହଜରେ ଆକଳନ କରାଯାଇପାରିବ ବୋଲି ଗବେଷକ କହିଛନ୍ତି। ଏନେଇ ଚାଇନା ସମେତ ଅନ୍ୟ କେତେକ ବିକଶିତ ଦେଶରେ ଜେନେଟିକ୍‌ ଟେଷ୍ଟିଂ ଜ୍ଞାନକୌଶଳ ଉପରେ ଗବେଷଣା ଜାରି ରହିଛି। ୨୦୧୮ରେ ଚାଇନାରେ ଏହି ଜ୍ଞାନକୌଶଳ ଯୋଗୁ ୪.୧ କୋଟି ଡଲାରର କାରବାର ହୋଇଥିଲା। ୨୦୨୫ ବେଳକୁ ଏହା ପ୍ରାୟ ତିନିଗୁଣା ବୃଦ୍ଧି ପାଇ ୧୩.୫ କୋଟି ଡଲାରରେ ପହଞ୍ଚିବାର ଆକଳନ କରାଯାଇଛି। ଚାଇନାରେ ପ୍ରତିବର୍ଷ ଦେଢ଼ କୋଟି ଶିଶୁ ଜନ୍ମ ନେଇଥାନ୍ତି। ଅଭିଭାବକମାନେ ଶିଶୁ ଭବିଷ୍ୟତରେ କେଉଁ ପେଶା ପ୍ରତି ଆକୃଷ୍ଟ ହେବ ତାହା ଜାଣିବାକୁ ଚାହୁଁଛନ୍ତି। ଏହାକୁ କେତେକ ଜାତକ ବିଚାର କହୁଥିବାବେଳେ କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ଏଭଳି ଆକଳନ ଡିଏନ୍‌ଏ ଉପରେ ଆଧାରିତ। ତେବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଆନୁବଂଶିକ ଓ୍ବିଙ୍ଗ୍‌ ଏବଂ ଡାଟା ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଗିଲ୍‌ ମେକଓ୍ବନ୍‌ଙ୍କ ଅନୁସାରେ ଶିଶୁର ଏଭଳି ଭବିଷ୍ୟତ ସଠିକ୍‌ ଭାବେ ଡିଏନ୍‌ଏ ପରୀକ୍ଷଣରୁ ଜଣାପଡ଼ିବା ଦାବି ଶତ ପ୍ରତିଶତ ନୁହେଁ। ଶିଶୁର କେତେକ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର ସମ୍ପର୍କରେ ଡିଏନ୍‌ଏ ପରୀକ୍ଷଣରୁ ଜଣାପଡ଼ିଥାଏ। ମାତ୍ର ଜିନ୍‌ ଡିସକଭରି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ବ୍ୟକ୍ତିର ସମସ୍ତ ଚାଲିଚଳଣ ଆନୁବଂଶିକ ଗୁଣର ବାହକ। ତେଣୁ ଏଭଳି ପରୀକ୍ଷଣ ଦ୍ୱାରା ଭବିଷ୍ୟତ ପେଶା ସମ୍ପର୍କରେ ତଥ୍ୟ ବହୁ ପୂର୍ବରୁ ଜଣାପଡ଼ିବ। ଗ୍ଲୋବାଲ୍‌ ମାର୍କେଟ୍‌ ଇନସାଇଟ୍‌ ଅନୁସାରେ ଏଭଳି ପରୀକ୍ଷଣ ଦ୍ୱାରା ଅଗାମୀ ଦିନରେ ଭଲ କାରବାର ହୋଇପାରିବ। ୨୦୨୨ ସୁଦ୍ଧା ଏହି କ୍ଷେତ୍ରରେ ସାରା ପୃଥିବୀରେ ୪୦ କୋଟି ଡଲାରରୁ ଅଧିକ କାରବାର ହେବାର ଆଶା ରହିଛି। ଏହି ସମୟରେ ଚାଇନାର ୬ କୋଟି ଡଲାରର କାରବାର ହେବାର ଅନୁମାନ କରାଯାଇଛି।

Share