ଡାକ୍ତରଖାନାରୁ ଚିକିତ୍ସାଧୀନ କଏଦୀ ଫେରାର

ବରଗଡ଼ ଅଫିସ,୨୩।୮: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ବିଚାରାଧୀନ କଏଦୀ ଗୁରୁବାର ବିଳମ୍ବିତ ରାତ୍ରିରେ ଫେରାର ହୋଇ ଯାଇଛନ୍ତି। ଫେରାର କଏଦୀ ଜଣକ ହେଲେ, ବରପାଲିର ନକୁଳ ମାଝି। ଗତ ଜୁନ୍‌ ମାସରେ ସଂଘଠିତ ଜମୁର୍ଡା ଗୁଳିକାଣ୍ଡ, ବରପାଲିରେ ମହଦା ସରପଞ୍ଚଙ୍କୁ ବନ୍ଧୁକ ମୁନରେ ଧମକ ମାମଲାରେ ଗିରଫ ହୋଇ ସେ ସ୍ଥାନୀୟ ବରଗଡ଼ ସବ୍‌ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଗୁରୁବାର ବିଚାରପତିଙ୍କ ସମ୍ମୁଖରେ ହାଜର କରିବା ପାଇଁ ତାଙ୍କୁ ସବ୍‌ଜେଲରୁ ବରଗଡ଼ କୋର୍ଟକୁ ନିଆଯାଇଥିଲା। ତେବେ ପୋଲିସ ହେପାଜତରେ ଥିବାବେଳେ ଅଭିଯୁକ୍ତ ନକୁଳ କୌଣସି ଧାରୁଆ ସାମଗ୍ରୀରେ ନିଜ ହାତ ସମେତ ଶରୀରର ବିଭିନ୍ନ ସ୍ଥାନରେ କାଟି ହୋଇଥିଲେ। ଏହାପରେ ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପୋଲିସ ସୁରକ୍ଷା ମଧ୍ୟରେ ଚିକିତ୍ସାଧୀନ ଥିବାବେଳେ ବିଳମ୍ବିତ ରାତିରେ ସେ ଫେରାର ହୋଇଯାଇଥିଲେ। ଖୋଜାଖୋଜି କରିବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ପୋଲିସ ତାଙ୍କ ପତ୍ତା ପାଇପାରିନାହିଁ।