Categories: ଜାତୀୟ

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ: ମାସ୍କ ପିନ୍ଧିବା ଜରୁରୀ

ନୂଆଦିଲ୍ଲୀ,୧୧।୫: ଲକ୍‌ ଡାଉନରେ ଫସି ରହିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରିଛନ୍ତି। ମେ’ ୧୨ ଅର୍ଥାତ୍‌ ମଙ୍ଗଳବାରଠାରୁ ୧୫ଟି ଟ୍ରେନ୍‌ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ସୋମବାର ସାରୁ ଟିକେଟ ବୁକିଂ ଆରମ୍ଭ ହେବ। ତେବେ ଏହି ରେଳ ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ରେଲଓ୍ବେ ଷ୍ଟେଶନରେ ଯାତ୍ରୀମାନେ ସୋସିଆଲ ଡିଷ୍ଟାନସିଂ, କନଫର୍ମ ଟିକେଟ ଓ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି।

-ଟ୍ରେନ୍‌ କେଉଁ ରୁଟ୍‌ରେ ଚାଲିବ ଓ କେବେ ଚାଲିବ ଓ ଏନେଇ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ। ଏଥିପାଇଁ ରେଳ ମନ୍ତ୍ରଣାଳୟ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିବ।
-ଯେଉଁମାନଙ୍କର ଇ-ଟିକେଟ ନିଶ୍ଚିତ ହୋଇଛି ସେମାନଙ୍କୁ ଷ୍ଟେଶନକୁ ଆସିବାକୁ ଅନୁମତି ଦିଆଯିବ।
-ଟ୍ରେନ୍‌ ଟାଇମିଙ୍ଗ, ଟିକେଟ ବୁକିଂ କିପରି କରିବେ ଷ୍ଟେଶନ ଓ ଟ୍ରେନ୍‌ରେ କିପରି ପ୍ରବେଶ କରିବେ ଏନେଇ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ।
-ଇ-ଟିକେଟ ଦାରା ଯାତ୍ରୀଙ୍କ କ୍ୟାବ ଡାଇଭରଙ୍କୁ ଅନୁମତି ମିଳିବ।
-ପ୍ରତ୍ୟେକ ଷ୍ଟେଶନରେ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ।
-ପ୍ରତ୍ୟେକ ବଗିର ପ୍ରବେଶ ଓ ପ୍ରସ୍ଥାନ ବେଳେ ସାନିଟାଇଜରର ସୁବିଧା ଉପଲବ୍ଧ ହେବ।
-ସମସ୍ତ ଯାତ୍ରୀ ଉଭୟ ଷ୍ଟେଶନ ଓ ଟ୍ରେନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
-ଟ୍ରେନ୍‌ରେ ଚଢିବା ଓ ଓହ୍ଲାଇବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ।
ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯିବ ଯାହାକୁ ରେଳ କର୍ମଚାରୀ ପାଳନ କରିବେ। ଯେତେବେଳେ ଟ୍ରେନ ଏହାର ଶେଷ ଷ୍ଟେସନରେ ପହଞ୍ଚିବ ସମସ୍ତ ଯାତ୍ରୀଙ୍କୁ ସେହି ରାଜ୍ୟର ନିୟମ ପାଳନ କରିବାକୁ ପଡିବ। କେନ୍ଦ୍ର ସରକାର ଲକ୍‌ଡାଉନ ମଧ୍ୟରେ ମେ’ ୧୨ ତାରିଖରୁ ରେଳ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରେନ୍‌ ଦିଲ୍ଲୀରୁ ଦିବ୍ରୁଗଡ, ଅଗରତାଲା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭାନନ୍ତପୁରମ, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଏବଂ ଜମ୍ମୁ ତାୱି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହିସବୁ ଟ୍ରେନ୍‌ ଛାଡିବାର ପ୍ରାୟ ଏକ ଘଣ୍ଟା ପୂର୍ବରୁ ଯାତ୍ରୀ ଷ୍ଟେଶନରେ ପହଞ୍ଚିବା ଜରୁରୀ।

Share