Categories: ଜାତୀୟ

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର-୧୩୯

ନୂଆଦିଲ୍ଲୀ,୩ା୧(ଆଇଏଏନ୍‌ଏସ୍‌):ଭାରତୀୟ ରେଳପଥ ଏହାର ଯାତ୍ରୀମାନଙ୍କ ସୁବିଧା ପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର ଆରମ୍ଭ କରିଛି। ଏହି ନମ୍ବରକୁ ଫୋନ୍‌ କରି ସେମାନେ ବିଭିନ୍ନ ଅଭିଯୋଗ କରିବା ସହ ସୁବିଧା ସମ୍ପର୍କରେ ଦାବି କରିପାରିବେ। ଏଣିକି ଯାତ୍ରୀମାନେ କେବଳ ୧୩୯ ନମ୍ବରକୁ କଲ୍‌ କରି ରେଲଓ୍ବେ ସମ୍ପର୍କିତ ସବୁ ପ୍ରଶ୍ନର ଉତ୍ତର ପାଇପାରିବେ। ୧୮୨କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ହେଲ୍ପଲାଇନ ନମ୍ବରକୁ ଏକାଠି କରି ଗୋଟିଏ ନମ୍ବର ୧୩୯ ରଖାଯାଇଛି। ଚୋରି ଓ ଅନ୍ୟାନ୍ୟ ଅପରାଧ ଘଟଣାରେ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ୧୮୨ ରଖାଯାଇଛି। ୧୨ଟି ଭାଷାରେ ଉପଲବ୍ଧ ହେବ ଇଣ୍ଟରାକ୍ଟିଭ୍‌ ଭଏସ ରେସ୍ପନ୍ସ ସିଷ୍ଟମ (ଆଇଭିଆର୍‌ଏସ୍‌) ଆଧାରିତ ହେଲ୍ପଲାଇନ ୧୩୯। ଏହି ନମ୍ବରକୁ ଡାଏଲ କରିବା ପରେ ସୁରକ୍ଷା ଓ ଚିକିତ୍ସା ସହାୟତା ପାଇଁ ୧ ଟିପିବାକୁ ହେବ। ସେହିପରି ଅନୁସନ୍ଧାନ ପାଇଁ ୨ ଟିପି ପିଏନ୍‌ଆର୍‌ ସ୍ଥିତି, ଟ୍ରେନ୍‌ ପହଞ୍ଚତ୍ବା ଓ ଛାଡ଼ିବା ସମୟ, ଟିକେଟ ବୁକିଂ, ଯାତ୍ରୀଭଡ଼ା, ସିଷ୍ଟମ ଟିକେଟ ବାତିଲ ଆଦି ସମ୍ପର୍କରେ ଜାଣିପାରିବେ। ଏଥିସହିତ ଆଲାମ୍‌ ସୁବିଧା, ହୁଇଲ୍‌ଚେୟାର ବୁକିଂ, ମିଲ୍‌ ବୁକିଂ ଆଦି କରିପାରିବେ। କ୍ୟାଟରିଂକୁ ନେଇ ଅଭିଯୋଗ କରିବାକୁ ଥିଲେ ୩ ଦବାଇବାକୁ ହେବ। ସାଧାରଣ ଅଭିଯୋଗ ପାଇଁ ୪ ଏବଂ ଭିଜିଲାନ୍ସ ସମ୍ପର୍କିତ ଅଭିଯୋଗ ପାଇଁ ୫, ଦୁର୍ଘଟଣା ସମ୍ପର୍କିତ ତଥ୍ୟ ପାଇବା ପାଇଁ ୬ ଏବଂ ଅଭିଯୋଗର ସ୍ଥିତି ସମ୍ପର୍କରେ ଜାଣିବା ନିମନ୍ତେ ବଟନ ୯ ଚାପିବାକୁ ହେବ।

Share