Categories: ବାଣିଜ୍ୟ

ଟ୍ରେଡ୍‌ ଓ୍ବାରରୁ ଭାରତକୁ ମିଳିବ ଫାଇଦା

ନୂଆଦିଲ୍ଲୀ,୧୭-୬: ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ୍‌ ଓ୍ବାରର ଫାଇଦା ଉଠାଇ ଭାରତ କେମିକାଲ ଓ ଗ୍ରାନାଇଟ୍‌ ସମେତ ପ୍ରାୟ ୩୫୦ ପ୍ରକାର ସାମଗ୍ରୀ ଏହି ଦୁଇ ଦେଶକୁ ରପ୍ତାନି କରିପାରିବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ୩୫୦ରୁ ଊର୍ଦ୍ଧ୍ୱ ଉତ୍ପାଦ ମଧ୍ୟରୁ ଏଭଳି ୧୫୧ ରହିଛି, ଯାହା ଆମେରିକାରୁ ଚାଇନାକୁ ରପ୍ତାନି କରାଯାଇଥାଏ। ସେହିପରି ୨୦୩ ଉତ୍ପାଦ ରହିଛି, ଯାହା ଚାଇନାରୁ ଆମେରିକାକୁ ଆମଦାନୀ ହୋଇଥାଏ। ରିପୋର୍ଟରେ କୁହାଯାଇଛି ଯେ, ଉଭୟ ଆମେରିକା ଓ ଚାଇନା ଜଣେ ଅନ୍ୟର ଉତ୍ପାଦ ଉପରେ ଭାରି ମାତ୍ରାରେ ଆମଦାନୀ ଶୁଳ୍କ ଆଦାୟ କରୁଛି। ଏପରିସ୍ଥଳେ ଭାରତ ପାଇଁ ବଡ଼ ବଜାର ଖୋଲି ଯାଇଛି। ଏଥିରେ କୁହାଯାଇଛି ଯେ, ଭାରତ ଏଭଳି କିଛି ସାମଗ୍ରୀ ଚାଇନାକୁ ରପ୍ତାନି କରିପାରିବ, ଯାହାର ପୂର୍ବରୁ ବଜାର ରହିଛି। ଭାରତ ତମ୍ବା ପଥର, ରବର, ପେପର/ପେପରବୋର୍ଡ, ଭଏସ୍‌/ଡାଟା ପଠାଇବାରେ ଲାଗୁଥିବା ଯନ୍ତ୍ରପାତି, ପାଇପ, ଡିଜେଲ, ଏକ୍ସ-ରେ ଟ୍ୟୁବ୍‌ ଆଦି ଚାଇନାକୁ ପଠାଇପାରିବ। ସେହିପରି ଇଣ୍ଡଷ୍ଟ୍ରିଆଲ ଭାଲ୍ବ,ଭଲ୍‌କାନାଇଜଡ ରବର,କାର୍ବନ ଏବଂ ଗ୍ରାଫାଇଟ ଇଲେକ୍ଟ୍ରୋଡ, ପ୍ରାକୃତିକ ମହୁ ଆଦିକୁ ଆମେରିକାକୁ ରପ୍ତାନି କରିହେବ। ଚାଇନାରେ ରପ୍ତାନି ବୃଦ୍ଧି କରି ସେଦେଶ ସହ ଥିବା ବାଣିଜ୍ୟ ନିଅଣ୍ଟ ପରିମାଣକୁ କମାଇପାରିବ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଏହା ୫୦.୧୨ ବିଲିୟନ ଡଲାର ରହିଛି। ଫେରେରେଶନ ଅଫ୍‌ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେଶନ ଅଧ୍ୟକ୍ଷ ଗଣେଶ କୁମାର ଗୁପ୍ତା କହିଛନ୍ତି ଯେ, ୨୦୧୮ରେ ଆମେରିକାରୁ ଭାରତକୁ ହେଉଥିବା ରପ୍ତାନି ୧୧.୨%ରେ ପହଞ୍ଚତ୍ୟାଇଛି। ସେହିପରି ଚାଇନାରୁ ରପ୍ତାନି ୩୧.୪% ରହିଛି। ଏହି ଦୁଇ ଦେଶରେ ଇଞ୍ଜିନିୟରିଂ ଓ ମେଶିନେରୀ କ୍ଷେତ୍ରରେ ଭାରତ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ସେ କହିଛନ୍ତି।

Share