ଟ୍ରାଫିକ ବ୍ୟବସ୍ଥା ସୁଧାର ନେଇ ଜିଲାପାଳଙ୍କ ବୈଠକ

ଯୋଡା,୯।୮(ଡି.ଏନ୍‌.ଏ.): ଯୋଡା ପୌରପାଳିକା ସଭାଗୃହରେ ଜିଲାପାଳ ଆଶିଷ ଠାକ୍‌ରେ ଓ ଚମ୍ପୁଆ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଖଣି କମ୍ପାନୀ ଓ କାରଖାନା ପ୍ରତିନିଧିଙ୍କ ସହିତ ବ୍ୟାପକ ଆଲୋଚନା ହୋଇଥିଲା। ୫୨୦ ନଂ. ଜାତୀୟ ରାଜପଥ, ମୁର୍ଗା-ବିଲେଇପଦା, ଯୋଡା-ବାମେବାରୀ ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରତ୍ୟେକ ଖଣି ଓ କାରଖାନା କର୍ତ୍ତୃପକ୍ଷ ନିଜସ୍ବ ଗାଡି ପାର୍କିଂ ସ୍ଥଳ କରିବା ସହିତ ପାଟ୍ରୋଲିଂ ପାଇଁ ଗାଡି ଓ ସୁରକ୍ଷାକର୍ମୀ ନିୟୋଜିତ କରିବେ । ଏଥି ସହିତ ସ୍କୁଲ ଛାତ୍ରୀଛାତ୍ର, ଆମ୍ବୁଲାନ୍ସ, ଟ୍ରାଫିକ୍‌ ଜାମ୍‌ରେ କିପରି ନ ପଡିବେ ସେ ଦିଗରେ ପ୍ରଶାସନ ନିୟମିତ ଦୃଷ୍ଟି ଦେବ ବୋଲି ଜିଲାପାଳ କହିଥିଲେ ।