Categories: ଜାତୀୟ

ଟ୍ରମ୍ପଙ୍କ ଗସ୍ତ ସମୟରେ ରାସ୍ତାରେ ଦେଖାଯିବେନି ବୁଲା କୁକୁର, ସିଲ୍‌ ହେବ ପାନ ଦୋକାନ

ଅହମଦାବାଦ,୧୭।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ ସହ ଗୁଜରାଟର ଅହମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପ ଗସ୍ତ କରୁଥିବା ରାସ୍ତାରେ ବୁଲା କୁକୁର, ନୀଳଗାଈଙ୍କୁ ହଟାଇ ଦିଆଯିବ ବୋଲି ଜଣାପଡିଛି। ଏହାସହ ସେହି ରାସ୍ତା କଡରେ ଥିବା ସମସ୍ତ ପାନ ଦୋକାନଙ୍କୁ ମଧ୍ୟ ସିଲ୍‌ କରାଯିବ। ପୂର୍ବରୁ ଟ୍ରମ୍ପଙ୍କ ଗସ୍ତକୁ ନେଇ ବସ୍ତି ଅଞ୍ଚଳକୁ ଲୁଚାଇବା ପାଇଁ ପାଚେରି ନିର୍ମାଣ କରାଯାଇଥିବା ବେଳେ ଏବେ ଏମିତି କିଛି ପଦକ୍ଷେପ ନିଆଯାଇଛି। ତେବେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ସ୍ବାଗତ ଉଦ୍ଦେଶ୍ୟରେ ଗୁଜରାଟ ସରକାର ଓ କେନ୍ଦ୍ର ସରକାର ମିଶି ଏଭଳି ପଦକ୍ଷେପ ନେଉଛନ୍ତି। ଏଥିପାଇଁ ପାଖାପାଖି ଶହେ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୫ରେ ଆମେରିକାର ମନ୍ତ୍ରୀ ଥିବା ଜନ୍‌ କେରିି ଗୁଜରାଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିମାନ ବନ୍ଦର ଫେରୁଥିବା ସମୟରେ ତାଙ୍କ ଗାଡି ସାମ୍ନାକୁ ଏକ କୁକୁର ପଶି ଆସିଥିଲା ଓ ତାଙ୍କ ଗାଡି କୁକୁର ଦେହରେ ବାଡେଇ ହୋଇଯାଇଥିଲା। ଏଥର ଟ୍ରମ୍ପଙ୍କ ଗସ୍ତରେ ଏଭଳି ଲଜ୍ୟା କର ପରିସ୍ଥିତିକୁ ଏଡାଇବାକୁ ଯାଇ ବୁଲା କୁକୁରଙ୍କୁ ରାସ୍ତାରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Share