ଟ୍ରକ୍‌ ଭଡ଼ାକରି ନିଜ ରାଜ୍ୟକୁ ଗଲେ ଯାଯାବର

କୋରୁକୋଣ୍ଡା,୨୯ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିର ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ମଧ୍ୟପ୍ରଦେଶର ୫ଟି ପରିବାରର ୨୪ ଜଣ ସଦସ୍ୟ ଯାଯାବର ଜୀବନ ବିତାଉଥିଲେ। ସେମାନେ ଲୁହା ସାମଗ୍ରୀ ଯଥା-ପନିକି,ଦା, କଟୁରି, କୁରାଢ଼ି ଆଦି ପ୍ରସ୍ତୁତକରି ଜିଲାର ବିଭିନ୍ନ ଅଞ୍ଚଳ ବୁଲି ବିକ୍ରି କରି ଚଳୁଥିଲେ। ଏଥର ସେମାନେ ଗତ ୫ମାସ ତଳେ ବାଲିମେଳାକୁ ଆସି ରହିଥିଲେ। ତେବେ ଲକ୍‌ଡାଉନ ଯୋଗୁ ସେମାନେ ନିଜ ରାଜ୍ୟକୁ ଫେରିପାରି ନ ଥିଲେ। ଏ ସମ୍ପର୍କରେ ପ୍ରଶାସନ ଜାଣିବା ପରେ ସେମାନଙ୍କୁ ୧୨ ନମ୍ବର ଓ୍ବାର୍ଡରେ ଥିବା ବିଦ୍ୟାଳୟକୁ ସ୍ଥାନାନ୍ତର କରି ଚଳିବା ପାଇଁ ରାଶନ ସାମଗ୍ରୀ ଯୋଗାଇ ଦେଇଥିଲା। ସେମାନଙ୍କ ଅନୁରୋଧକ୍ରମେ ଲକ୍‌ଡାଉନ ପରେ ସେମାନଙ୍କ ଫେରିବା ବ୍ୟବସ୍ଥା କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଅବସରରେ ସରକାର ଅନେକ କ୍ଷେତ୍ରରେ କୋହଳ କରିବା ସହ ଟ୍ରେନ୍‌ ଚଳାଚଳ କରିବାରୁ ଏହି ଯାଯାବର ପରିବାରଙ୍କୁ ନିଜ ରାଜ୍ୟକୁ ପଠାଇବା ଲାଗି ପ୍ରଶାସନ ଚିନ୍ତା କରିଥିଲା। ଏନ୍‌ଏସି ପକ୍ଷରୁ ଜୁନ୍‌ ୧ରେ ଯିବାପାଇଁ ସେମାନଙ୍କ ଟ୍ରେନ୍‌ ଟିକେଟ କରାଯାଇଥିଲା। ମାତ୍ର ସେମାନେ ସେମାନଙ୍କ ସମସ୍ତ ସାମଗ୍ରୀ ଧରି ଟ୍ରେନ୍‌ ଯୋଗେ ଯାଇପାରିବେ ନାହିଁ ବୋଲି ମନା କରିଥିଲେ। ପରେ ସେମାନେ ନିଜ ଟଙ୍କାରେ ଏକ ଟ୍ରକ୍‌ ଭଡ଼ା କରି ଗୁରୁବାର ନିଜ ରାଜ୍ୟକୁ ଫେରିଛନ୍ତି। ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ପଚାରିବାରୁ ସେ କହିଲେ ଯେ, ଯାଯାବର ପରିବାରଙ୍କ ଟ୍ରେନ ଯୋଗେ ଯିବା ପାଇଁ ଟିକେଟ କରାଯାଇଥିଲା। ତେବେ ସେମାନେ ନିଜର ବ୍ୟକ୍ତିଗତ କାର୍ଯ୍ୟ ଥିବା ଦର୍ଶାଇ ଟ୍ରକ୍‌ ଭଡ଼ାକରି ଯାଇଛନ୍ତି।