ଟୋକନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ପ୍ରତିବାଦ

କଲମପୁର,୧୦।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି । ଟୋକନ ଦାବିରେ ଶୁକ୍ରବାର ସକାଳୁ ଚାଷୀ ଏକତ୍ରିତ ହୋଇ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଆନ୍ଦୋଳନସ୍ଥଳରେ କଲମପୁର ତହସିଲଦାର ଦିବାକର ବାଗ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରିଥିଲେ ହେଁ ଚାଷୀମାନେ ଜିଦ୍‌ରେ ଅଟଳ ରହିଛନ୍ତି ।
ସୂଚନା ଅନୁଯାୟୀ, କଲମପୁର ପ୍ୟାକ୍ସର ୬୫ଜଣ ଚାଷୀଙ୍କ ପୂର୍ବରୁ ଡାଟାବେସ୍‌ରେ ନାମ ନ ଥିଲା । ଏନେଇ ଚାଷୀମାନେ ବିଭିନ୍ନ ମହଲରେ ଡାଟାବେସ୍‌ ସୁଧାରିବା ପାଇଁ ଦାବି କରିଥିଲେ। ଗୁରୁବାର ଟୋକନ ଦାବିରେ ଚାଷୀମାନେ ତହସିଲ କାର୍ଯ୍ୟାଳୟ ଭିତରେ ଧାନ ରଖିବା ସହ ଉପଜିଲାପାଳଙ୍କ ଗାଡ଼ି ଅଟକ ରଖି ତା’ ଆଗରେ ଶୋଇ ପଡ଼ିଥିଲେ । ପରେ ଚାଷୀମାନଙ୍କୁ ବୁଝାଶୁଝା କଲାପରେ ଗାଡ଼ିକୁ ସେମାନେ ଛାଡ଼ିଦେଇଥିଲେ ।