ଟେନସନ୍‌ ଅନ୍ତରାଳେ..

ପ୍ରେମରେ ପଡିବା ପୁଣି ସେଥିରେ ସଫଳ ହେବା-ଏହି ଦୁଇଟି ଭିନ୍ନ ବିଷୟ। ତେବେ ପ୍ରେମର ମଧୁରେଣ ସମାପୟେତ ପାଇଁ ହୃଦୟଟି ସେମିତି ସଚ୍ଚା ହେବା ଦରକାର। ହେଲେ ପ୍ରେମରେ ପଡିବା ପରେ ଯେ ଏପରି ପରିସ୍ଥିତିର ସାମନା କରିବାକୁ ପଡିବ ତାହା କେବେ ରୋମିଓ ରାଜା କଳ୍ପନା କରି ନ ଥିଲା। ଏପରି ଏକ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା ଯାହାର ଟାଇଟଲ ରହିଛି ‘ରୋମିଓ ରାଜା’। ଏହାର ଶୀର୍ଷକ ଭୂମିକାରେ ଅଭିନୟ କରୁଛନ୍ତି ଅମ୍ଳାନ କୁମାର। କାହାଣୀ ଅନୁସାରେ ପ୍ରଥମ ଦେଖାରେ ଜଣେ କଲେଜ ଛାତ୍ର ଜଣେ କଲେଜ ଛାତ୍ରୀଙ୍କୁ ପ୍ରେମ କରି ବସୁଛି। ସେମାନେ ପ୍ରେମ ଦୁନଆରେ ଉଡି ବୁଲିବା ସମୟରେ ହଠାତ୍‌ ଏହି ପ୍ରେମରେ ଆଉ ଜଣେ ଏଣ୍ଟ୍ରି କରୁଛନ୍ତି। ତେବେ ତା’ପରେ କ’ଣ ହେଉଛି ଏବଂ ଦୁହିଁଙ୍କ ପ୍ରେମର ଦି ଏଣ୍ଡ କିପରି ହେଉଛି ତାହାକୁ ନେଇ କାହାଣୀ ଗତିଶୀଳ। ଏହି ଫିଲ୍ମରେ ଅମ୍ଳାନ କୁମାରଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ତମନ୍ନା। ଏନ. ବି. ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଫିଲ୍ମର ଶୁଟିଂ ବର୍ତ୍ତମାନ ଚାଲୁ ରହିଛି। ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରଯୋଜନାରେ ଏହାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ନବାଗତ ନିର୍ଦ୍ଦେଶକ ରାକେଶ ସାମଲ। ଜମେଶ ଶୁକ୍ଳା ସଂଳାପ ରଚନା କରିଛନ୍ତି ଏବଂ ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ, ସୁବ୍ରତ ସ୍ବାଇଁ, ଡ. ସୁବୋଧ ଦାସଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବୈଦନାଥ ଦାଶ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା ଏବଂ ଗୀତିଶ୍ରୀ ସରୋଜ। ଅମ୍ଳାନ-ତମନ୍ନାଙ୍କ ବ୍ୟତୀତ ହରିହର ମହାପାତ୍ର, ବାବୁ ପ୍ରଧାନ, ଦୀପକ ମହାରଣା, ଜ୍ଞାନ ପଲେଇ, ତପନ, ରାଜଲକ୍ଷ୍ମୀ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି।

Share