ପ୍ୟାରିସ,୨ା୪ (ଏଏଫ୍ପି)-ଚଳିତ ବର୍ଷ ଟୁର୍ ଡି’ ଫ୍ରାନ୍ସ ସାଇକ୍ଲିଂ ରେସ୍ ହେବ କି ନା ସେ ନେଇ ଆୟୋଜକଙ୍କ ତରଫରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ। କାର୍ଯ୍ୟସୂଚୀ ଅନୁସାରେ ଏହି ପ୍ରତିଯୋଗିତା ଜୁନ୍ ୨୭ରେ ଆରମ୍ଭ ହୋଇ ଜୁଲାଇ ୧୯ରେ ପ୍ୟାରିସ୍ସ୍ଥିତ ଚାମ୍ପ୍ସ-ଏଲିସେସ୍ଠାରେ ଶେଷ ହୋଇଥାନ୍ତା। ମହାମାରୀ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ଫ୍ରାନ୍ସରେ ଇତିମଧ୍ୟରେ ୩,୦୦୦ଜଣଙ୍କର ମୃତ୍ୟୁ ଘଟିଲାଣି। ଦେଶରେ ଲକ୍ଡାଉନ୍ ତୃତୀୟ ସପ୍ତାହରେ ପହଞ୍ଚତ୍ଛି। ପ୍ରତିଯୋଗିତାର ଆୟୋଜନ ଅବା ସ୍ଥଗିତ କିମ୍ବା ବାତିଲ ହେବ ତାହା ଆୟୋଜକଗଣ ସ୍ପଷ୍ଟ କରୁନାହାନ୍ତି। ଆୟୋଜକ ମୁଖ୍ୟ ଖ୍ରିଷ୍ଟିଆନ ପ୍ରୁଧୋମ୍ କହିଛନ୍ତି ଏହି ଲୋକପ୍ରିୟ ପ୍ରତିଯୋଗିତାକୁ ସ୍ଥଗିତ ଅବା ବାତିଲ କରିବା ସହଜ ନୁହେଁ। ତେବେ ଜନସାଧାରଣଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯିବ।


