Categories: ଖେଳ

ଟି୨୦: ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌: ହାସରଙ୍ଗା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌

ଲାହୋର,୧୦।୧୦- ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ଭ୍ରମଣକାରୀ ଶ୍ରୀଲଙ୍କା ସବୁ ୩ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ଏଥିସହିତ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ଶ୍ରୀଲଙ୍କା ଟି୨୦ରେ ନେଇଛି। ବୁଧବାର ସ୍ଥାନୀୟ ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କା ୧୩ ରନରେ ପାକିସ୍ତାନକୁ ପରାସ୍ତ କରିଛି। ୨୧ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିବା ଶ୍ରୀଲଙ୍କା ଲେଗ୍‌ ସ୍ପିନର ଓ୍ବାନିଣ୍ଡୁ ହାସରଙ୍ଗା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ ବିବେଚିତ ହୋଇଛନ୍ତି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୬ ଉଇକେଟ ହରାଇ ୧୩୪ ରନରେ ସୀମିତ ରହି ପରାସ୍ତ ହୋଇଛି। ପାକିସ୍ତାନ ତରଫରୁ ହାରିସ ସୋହେଲ ସର୍ବାଧିକ ୫୨, ବାବର ଆଜମ ୨୭, ଅଧିନାୟକ ସର୍ଫରାଜ ଅହମ୍ମଦ ୧୭ ରନ କରି ଆଉଟ ହୋଇଥିବା ବେଳେ ଇଫ୍‌ତିଖାର ଅହମ୍ମଦ ୧୭ ଓ ଓ୍ବାହାମ ରିୟାଜ ୧୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ହାସରଙ୍ଗା ୩, ଲାହିରୁ କୁମାରା ୨, କାସୁନ ରଜିଥା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଓସାଡ଼ା ଫର୍ନାଣ୍ଡୋ ସର୍ବାଧିକ ଅପରାଜିତ ୭୮ (୪୮ ବଲ, ୮ ଚୌକା, ୩ ଛକା), ଆଞ୍ଜେଲୋ ପେରେରା ୧୩, ସାଦିରା ସମରବିକ୍ରମା ୧୨, ଅଧିନାୟକ ଦସୁନ ସନକା ୧୨ ରନ କରିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ମହମ୍ମଦ ଆମୀର ୩, ଇମାଦ ଓ୍ବାସିମ ଓ ଓ୍ବାହାବ ରିୟାଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୨୦ ଓଭରରେ ୧୪୭/୭
(ଫର୍ନାଣ୍ଡୋ- ୭୮*, ଆମୀର- ୩/୨୭)।
ପାକିସ୍ତାନ ୨୦ ଓଭରରେ ୧୩୪/୬
(ସୋହେଲ- ୫୨, ଆଜମ- ୨୭, ହାସରଙ୍ଗା- ୩/୨୭, କୁମାରା- ୨/୨୪)।

Share