ଟିମ୍‌ କ୍ଲିନ ସିଟି ପକ୍ଷରୁ ହିଞ୍ଜିଳିକାଟୁରେ ପୋଷ୍ଟର ଚିରା

ହିଞ୍ଜିଳିକାଟୁ,୨୪।୮(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗରର ରାସ୍ତା କଡ଼ରେ ଟିମ୍‌ କ୍ଲିନ ସିଟି ଶନିବାର ହିଞ୍ଜିଳିକାଟୁରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ କରିଛି। ବ୍ରହ୍ମପୁର ମହାନଗରରେ ଲଗାତାର ୪୯ ଦିନ ଧରି ଏହି କାର୍ଯ୍ୟକ୍ରମ ପରେ ହିଞ୍ଜିଳିକାଟୁ ଅଭିଯାନକୁ ବିପୁଳ ସମର୍ଥନ ମିଳିଛି। ବ୍ରହ୍ମପୁର ଟିମ୍‌ କ୍ଲିନ ସିଟିର ସଂଯୋଜକ ଶକ୍ତିଧର ରାଜଗୁରୁ ଓ ଅନ୍ୟମାନେ ଶନିବାର ଭୋରରେ ହିଞ୍ଜିଳିକାଟୁରେ ପହଞ୍ଚିଥିଲେ। ଏହି ଟିମ୍‌କୁ ହିଞ୍ଜିଳିକାଟୁ ବିଡିଓ ପ୍ରସନ୍ନ କୁମାର ପାତ୍ର, ଆଇଆଇସି ଅଭିମନ୍ୟୁ ଦାଶ ଓ ଅନ୍ୟ ଅଧିକାରୀଙ୍କ ସହ ତ୍ରିରଙ୍ଗା ଯୁବକ ସଂଘ, ଡିସ୍‌କଭରୀ ହିଞ୍ଜିଳିକାଟୁ ଓ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ ସଦସ୍ୟା ସଦସ୍ୟ ସ୍ବାଗତ କରିଥିଲେ। ରାସ୍ତା କଡ଼ର ପୋଷ୍ଟର ଚିରା ଅଭିଯାନ କଲେଜ ଛକରୁ ଆରମ୍ଭ ହୋଇ ବଇଁଚବଣିଆ ପର୍ଯ୍ୟନ୍ତ ପହଞ୍ଚିଲା। ବାଟରେ ବହୁ ସାଧାରଣ ଲୋକ ଟିମ୍‌ ସହ ସ୍ବତଃ ଯୋଗ ଦେଇ ପୋଷ୍ଟର ଚିରାରେ ସାମିଲ ହେବା ସହ ଟିମ୍‌ର ପ୍ରୟାସକୁ ଉତ୍ସାହିତ କରିଥିଲେ।
ପ୍ରକାଶ ଥାଉ କି, ଟିମ୍‌ କ୍ଲିନ ସିଟିର ଏହି ଅଭିଯାନରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଟିମ୍‌ର ପ୍ରୟାସକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ।