Categories: ବାଣିଜ୍ୟ

ଟିକସ ଫାଙ୍କିବା ଲାଗି ନୂଆ ଠିକଣା ଖୋଜୁଛନ୍ତି କୋଟିପତି

ନୂଆଦିଲ୍ଲୀ,୧୬-୧୨: ଋଣ ଶୁଝିବାକୁ ସକ୍ଷମ ନ ହେଉଥିବା, ସରକାରୀ ଏଜେନ୍ସିଠାରୁ ବଞ୍ଚିବା ଏବଂ ନିଲାମଠାରୁ ନିଜ ସମ୍ପତ୍ତିକୁ ରକ୍ଷା କରିବା ଲାଗି ଭାରତୀୟ କୋଟିପତିମାନେ ନୂଆ ତରିକା ଆପଣାଉଥିବା ଦେଖାଯାଇଛି। ଏମାନେ ମାଲ୍ଟା, ଦୁବାଇ, ସିଙ୍ଗାପୁର ଭଳି ସ୍ଥାନଗୁଡିକରେ ଟ୍ରଷ୍ଟ ସ୍ଥାପନ କରିବା ସହ ନିଜ ଟଙ୍କା ସେଠାକୁ ପଠାଉଛନ୍ତି। ରିୟଲ ଇଷ୍ଟେଟ ଏବଂ ଭିତ୍ତିଭୂମି ବିଜନେସ କ୍ଷେତ୍ରରେ ସକ୍ରିୟ ଦିଲ୍ଲୀର ଏକ ବିଜନେସ ପରିବାର ଉତ୍ତରାଧିକାର ଯୋଜନା ସମ୍ପର୍କରେ ପୂର୍ବରୁ କେବେ ଚିନ୍ତା କରି ନ ଥିବା ବେଳେ ନିକଟରେ ୟୁରୋପର ମାଲ୍ଟାରେ ଏକ ଫ୍ୟାମିଲି ଟ୍ରଷ୍ଟ ଗଠନ କରିଛି। ଏହି ଟ୍ରଷ୍ଟର ୨୦ ଲାଭାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ କେହିକେହି ଭାରତ ବାହାରେ ମଧ୍ୟ ରହୁଛନ୍ତି। ଏହି ପରିବାରର ମୋଟ ସମ୍ପତ୍ତି ୧୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଧୀରେ ଧୀରେ ସବୁ ସମ୍ପତ୍ତିକୁ ଉକ୍ତ ପରିବାର ଫ୍ୟାମିଲି ଟ୍ରଷ୍ଟକୁ ପଠାଇବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ଘଟଣା ଏକ ସୂତ୍ରରୁ ଜଣାପଡିଛି। ସ୍ବସ୍‌ ବ୍ୟାଙ୍କ ଖୁଲାସା ପରେ କୋଟିପତିମାନେ ଏଭଳି ଆଡା ପରିବର୍ତ୍ତନ କରୁଥିବା କୁହାଯାଇଛି।

Share