Categories: ବାଣିଜ୍ୟ

ଟାଟା ସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଚ୍ଛୁକ ନୁହନ୍ତି ମିସ୍ତ୍ରି

ନୂଆଦିଲ୍ଲୀ,୨୬।୧୨: ଟାଟା ସନ୍ସର ଅଧ୍ୟକ୍ଷ ପଦବୀକୁ ପୁଣି ଫେରିବାକୁ ସାଇରସ ମିସ୍ତ୍ରି ଇଚ୍ଛୁକ ନ ଥିବା ଜଣାପଡିଛି। ଏକ ଜାତୀୟ ମୁଦ୍ରିତ ଗଣମାଧ୍ୟମରେ ଏ ସମ୍ପର୍କରେ ଏକ ଖବର ପ୍ରକାଶ ପାଇଛି। ଏକ ବିବାଦୀୟ ପରିସ୍ଥିତିରେ ୨୦୧୬ରେ ମିସ୍ତ୍ରିଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଯାଇଥିଲା। ଏହି ମାମଲାରେ ମିସ୍ତ୍ରି କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ। ଟ୍ରିବ୍ୟୁନାଲ ୧୮ ଡିସେମ୍ବରରେ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଦେବା ସହ ପୁଣି ଥରେ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିବା ସହ ଟାଟା ସନ୍ସକୁ ଏହି ମାମଲାର ଚ୍ୟାଲେଞ୍ଜ କରିବା ଲାଗି ୪ ସପ୍ତାହ ସମୟ ଦେଇଛନ୍ତି। ସେହିଭଳି ଟାଟା ସନ୍ସକୁ ଏକ ଘରୋଇ କମ୍ପାନୀ ଭାବେ ପରିବର୍ତ୍ତନ କରିବାକୁ ଟ୍ରିବ୍ୟୁନାଲ ବେଆଇନ ଭାବେ ଦର୍ଶାଇଛନ୍ତି। ରାୟର ବେଆଇନ ଶବ୍ଦକୁ ସଂଶୋଧନ କରିବା ଲାଗି କେନ୍ଦ୍ର କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଅଫ କମ୍ପାନିଜ୍‌ ପୁଣି ଥରେ ଆବେଦନ କରିଛି। ସୂଚନାଯୋଗ୍ୟ, ଟାଟା ସନ୍ସରେ ମିସ୍ତ୍ରିଙ୍କ ପରିବାରର ୧୮.୪% ଅଂଶଧନ ରହିଛି।

Share