Categories: ବାଣିଜ୍ୟ

ଟାଟା-ମିସ୍ତ୍ରି ମାମଲା: ଏନ୍‌ସିଏଲ୍‌ଏଟିଙ୍କ ଆଉ ଏକ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

 

ନୂଆଦିଲ୍ଲୀ,୨୫-୧: ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି କର୍ପୋରେଟ ବିବାଦ ମାମଲାରେ ସୁପ୍ରିମକୋର୍ଟ ନ୍ୟାଶନାଲ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଦେଇଥିବା ଆଉ ଏକ ରାୟ ଉପରେ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ଏହି ମାମଲାରେ ପ୍ରଥମେ ଏନ୍‌ସିଏଲ୍‌ଏଟି ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ରାୟରେ କୁହାଯାଇଥିଲା ଯେ, ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ସାଇରସଙ୍କ ବହିଷ୍କାର ବେଆଇନ ଥିଲା। ଏହା ସହ ନୂଆ ଅଧ୍ୟକ୍ଷ ଭାବେ ଏନ୍‌.ଚନ୍ଦ୍ରଶେକରନଙ୍କ ନିଯୁକ୍ତି ଏବଂ ଟାଟାସନ୍ସକୁ ଏକ ଘରୋଇ କମ୍ପାନୀରେ ପରିବର୍ତ୍ତନ ବେଆଇନ ବୋଲି ଏନ୍‌ସିଏଲ୍‌ଏଟି କହିଥିଲେ। ଟାଟାସନ୍ସକୁ ଏକ ଘରୋଇ କମ୍ପାନୀରେ ରୂପାନ୍ତର ନେଇ ରାୟରେ ବ୍ୟବହାର କରାଯାଇଥିବା ବେଆଇନ ଶବ୍ଦ ସଂଶୋଧନ କରିବା ଲାଗି ରେଜିଷ୍ଟ୍ରାର ଅଫ କମ୍ପାନିଜ( ଆର୍‌ଓସି) ଏନ୍‌ସିଏଲ୍‌ଏଟିରେ ଆବେଦନ କରିଥିଲା। ଏହି ଆବେଦନକୁ ଏନ୍‌ସିଏଲ୍‌ଏଟି ଖାରଜ କରି ଦେଇଥିଲେ। ଏହି ରାୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ପ୍ରଧାନ ବିଚାର ଏସ୍‌.ଏ.ବୋବ୍‌ଡେ, ଜଷ୍ଟିସ ବି.ଆର୍‌. ଗଭାଇ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଟାଟାସନ୍ସ ପ୍ରାଇଭେଟ ଲିମିଟେଡ(ଟିଏସ୍‌ପିଏଲ୍‌) ଆବେଦନର ଶୁଣାଣି କରିବାକୁ ରାଜି ହେବା ସହ ବିଭିନ୍ନ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।
ଏହି ମାମଲାର ବିସ୍ତୃତ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଡିସେମ୍ବର ୧୮ରେ ଏନ୍‌ସିଏଲ୍‌ଏଟି ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ସାଇରସ ମିସ୍ତ୍ରିଙ୍କୁ ପୁନଃ ଅବସ୍ଥାପିତ କରିବା ସହ ଟାଟାକୁ ମାମଲାର ଚ୍ୟାଲେଞ୍ଜ ପାଇଁ ଗୋଟିଏ ମାସ ସମୟ ଦେଇଥିଲେ। ୨୦୧୬ ଅକ୍ଟୋବରରେ ଏକ ବିବାଦୀୟ ସ୍ଥିତିରେ ଟାଟାସନ୍ସ ଅଧ୍ୟକ୍ଷ ପଦବୀରୁ ମିସ୍ତ୍ରିଙ୍କୁ ହଟାଯାଇଥିଲା। ଏହା ବିରୋଧରେ ସେ ପ୍ରଥମେ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ରେ ଆବେଦନ କରିଥିଲେ। ଏହି ମାମଲା ଟାଟା ସପକ୍ଷରେ ଯାଇଥିଲା। ଏହା ପରେ ମିସ୍ତ୍ରି ସେ ଏନ୍‌ସିଏଲ୍‌ଏଟି ଯାଇଥିଲେ, ଯେଉଁଠାରେ ରାୟ ତାଙ୍କ ସପକ୍ଷରେ ଯାଇଥିଲା।

Share