ଟଙ୍କାଏ ପାଇଁ ୧,୦୦୦ ଜରିମାନା

ବ୍ରହ୍ମପୁର ଅଫିସ,୨୩।୪: ଜଣେ ଗ୍ରାହକଙ୍କଠାରୁ ଆଦାୟ କରିଥିବା ୧ ଟଙ୍କା ସେବାକର ନ ଫେରାଇବା ଡାକ ବିଭାଗ ପାଇଁ ଏବେ ମହଙ୍ଗା ପଡିଛି। ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲା ଖାଉଟି ଅଦାଲତ ମାମଲାର ବିଚାର କରି ଡାକ ବିଭାଗକୁ ୧୦୦୦ ଟଙ୍କା ଜରିମନା ଦେବାକୁ ନିର୍ଦ୍ଦେଶ ଦେଇଛି।
ପ୍ରକାଶ ଯେ, ଶେରଗଡର ଶିବପ୍ରସାଦ ଷଡ଼ଙ୍ଗୀ ଜଣେ ଆଇନ ଛାତ୍ର । ସେ ଆରଟିଆଇ ଆବେଦନ ଦରଖାସ୍ତର ଉତ୍ତର ପାଇବା ପାଇଁ ୨୦୨୦ ଅଗଷ୍ଟ ୧୯ରେ ଭୁବନେଶ୍ୱରର ଏକ କାର୍ଯ୍ୟାଳୟକୁ ଶେରଗଡ ଡାକଘରେ ୧୦ ଟଙ୍କାର ମନି ଅର୍ଡର କରିଥିଲେ। ଡାକଘର ପକ୍ଷରୁ ସେବାକର ବାବଦକୁ ତାଙ୍କଠାରୁ ଅତିରିକ୍ତ ୧ ଟଙ୍କା ନିଆଯାଇଥିଲା। ସେହିକ୍ରମରେ ଶିବପ୍ରସାଦ ଡାକଘରେ ମୋଟ ୧୧ ଟଙ୍କା ଦେଇଥିଲେ। ହେଲେ ଶେରଗଡ ଡାକଘର କର୍ମଚାରୀ
ମନ ଅର୍ଡରଟି ବୁକ୍‌ କରିବା ସମୟରେ ପିନ୍‌ କୋଡ ଭୁଲ ଲେଖିଥିବାରୁ
ସେହି ମନି ଅର୍ଡର ଠିକଣା ସମୟରେ ଠିକ୍‌ ସ୍ଥାନରେ ପହଞ୍ଚି ନ ଥିଲା। ଏଥିଯୋଗୁ ତାଙ୍କୁ ସୂଚନା ଆବେଦନର ଉତ୍ତର ପାଇବାରେ ଅସୁବିଧା ହୋଇଥିଲା। ଏ ନେଇ ଶିବପ୍ରସାଦ ଅଭିଯୋଗ କରିବା ପରେ ଡାକବିଭାଗ ପକ୍ଷରୁ ତାଙ୍କୁ ମନି ଅର୍ଡର ବାବଦ ୧୦ ଟଙ୍କା ଫେରସ୍ତ କରାଯାଇଥିଲା। ହେଲେ ସେବାକର ବାବଦକୁ ଡାକ ଘର ପକ୍ଷରୁ ଯେଉଁ ୧ ଟଙ୍କା ନିଆଯାଇଥିଲା ତାହା ଫେରସ୍ତ କରାଯାଇନଥିଲା। ଏ ନେଇ ଶିବପ୍ରସାଦ ୨୦୨୦ ଅକ୍ଟୋବରରେ ଗଞ୍ଜାମ ଜିଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ଏହି ମାମଲାର ଶୁଣାଣି ବେଳେ ଡାକ ଘର କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ଲୋଡିଥିଲେ। ଉଭୟ ପକ୍ଷଙ୍କ ଜବାବ ସୁଆଲ ଶୁଣିବା ପରେ ଖାଉଟି ଅଦାଲତ ନିଜ ରାୟରେ ଡାକ ବିଭାଗକୁ ୫୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମାମଲା ପରିଚାଳନା ବାବଦ ଆଉ ୫୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।