ଝିଅକୁ ପାଣି ପିଆଇବା ପାଇଁ ଝୁମ୍ପୁଡିରେ ପହଞ୍ଚିଲେ ଅକ୍ଷୟ: ଖାଇବାକୁ ମିଳିଲା ରୁଟି ଗୁଡ

ମୁମ୍ବାଇ: ନିଜର ଉଦାର ମନୋଭାବ ପାଇଁ ଜଣାଯାଉଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ନିଜ ପର୍ସନାଲ ଲାଇଫ୍‌ ହେଉ କି ପ୍ରଫେଶନାଲ ସବୁର ଟିକ୍‌ନିକ୍‌ ଖବରକୁ ଅକ୍ଷୟ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି। ବର୍ତ୍ତମାନ ଫିଲ୍ମ ହାଉସଫୁଲ-୪ ପାଇଁ ଅକ୍ଷୟ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଥିବା ବେଳେ ଆଉ କିଛି ଦିନ ମଧ୍ୟରେ ୨ଶହ କୋଟି ଆୟ କରିବ ବୋଲି ଆଲୋଚନା ହେଉଛି। ହେଲେ ଏବେ ସେ ନିଜ ଝିଅକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅକ୍ଷୟ ମର୍ଣ୍ଣିଂ ଓ୍ବାକ୍‌ରେ ଝିଅ ନିତାରାଙ୍କ ସହ ଯାଇଥିଲେ। ସେଠାରେ ନିତାରାଙ୍କୁ ଶୋଷ ଲାଗିଥିଲା। ସେହି ସମୟରେ ଏକ ଝୁମ୍ପୁଡିରେ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କୁ ସେ ପାଣି ମାଗିଥିଲେ। ହେଲେ ଦମ୍ପତି ଜଣଙ୍କ ତାଙ୍କୁ ପିଇବା ପାଇଁ ପାଣି ଦେବା ସହ ଖାଇବାକୁ ଗୁଡ ଓ ରୁଟି ଦେଇଥିଲେ। ସେହି ସମୟର ୨ଟି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଅକ୍ଷୟକ ଏକ କାହାଣୀ ବଖାଣିଛନ୍ତି। ଗୋଟିଏ ଫଟୋରେ ଝିଅ ନିତାରାଙ୍କ ସହ ଯାଉଥିବା ଦୃଶ୍ୟ ନଜର ଆସୁଥିବା ବେଳେ ଅନ୍ୟଟିରେ ଏକ ବୃଦ୍ଧ ଦମ୍ପତ୍ତିଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି। ଫଟୋକୁ ଶେୟାର କରିବା ସହ ସେ କ୍ୟାପଶନ୍‌ରେ ଲେଖିଛନ୍ତି, ଆଜି ମର୍ଣ୍ଣିଂ ଓ୍ବାକ୍‌ ଝିଅ ପାଇଁ ଗୋଟିଏ ନୂଆ ଶିକ୍ଷା ଆଣିଛି। କାରଣ ପିଇବା ପାଇଁ ଆମେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କ ଘରକୁ ଯାଇଥିବା ବେଳେ ସେମାନେ ଆମକୁ ସ୍ବାଦିଷ୍ଟ ଗୁଡ ଓ ରୁଟି ଦେଇଥିଲେ। ତେବେ ସେମାନଙ୍କ ଭଳି ଉଦାରତା ଓ ଦୟାଳୁ ହୃଦୟଠାରୁ ଆଉ କିଛି ବଡ଼ ନୁହେଁ ବୋଲି ଅକ୍ଷୟ କହିଛନ୍ତି। ଏହି ପୋଷ୍ଟ ଶେୟାର ହେବା ମାତ୍ରେ ପ୍ରଶଂସକ ଅକ୍ଷୟଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।

Share