ଜୟଲଳିଥାଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌, ଟ୍ରୋଲ୍‌ ହେଉଛି କଙ୍ଗନାଙ୍କ ଲୁକ୍‌

କଙ୍ଗନା ରଣାଓ୍ବତ୍‌ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିଥାଙ୍କ ବାୟୋପିକ୍‌ରେ ନଜର ଆସିବେ। ଶନିବାର ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟର ରିଲିଜ୍‌ ପରେ କଙ୍ଗନାଙ୍କ ଲୁକ୍‌କୁ ଟ୍ରୋଲ୍‌ କରାଯାଉଛି। ଏହା ସହିତ ଏକ ଟ୍ରିଜର ମଧ୍ୟ ଭାଇରାଲ ହୋଇଛି। ଏଥିରେ କଙ୍ଗନାଙ୍କ ଲୁକ୍‌ର ଝଲକ ଦେଖିବାକୁ ମିଳିଛି।
ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ଜୟଲଳିଥାଙ୍କ ଭୂମିକାରେ କଙ୍ଗନା ଅଭିନୟ କରୁଛନ୍ତି। ସେ ଜୟଲଳିଥାଙ୍କ ପରି ସବୁଜ ରଙ୍ଗର ଏକ ଶାଢ଼ି ପିନ୍ଧିଛନ୍ତି। ଫଟୋ ଶେୟାର କରି ତରଣ ଲେଖିଛନ୍ତି, ଜୟଲଳିଥାଙ୍କ ବାୟୋପିକ୍‌ର ପ୍ରଥମ ଝଲକ। ମୁଖ୍ୟ ଭୂମିକାରେ କଙ୍ଗନା ରଣାଓ୍ବତ୍‌। ବିଷ୍ଣୁ ଇନ୍ଦୁରୀ, ଶୈଳେଶ ସିଂହ ଏହାକୁ ନିର୍ମାଣ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ। ଫିଲ୍ମଟି ୨୦ ଜୁନ୍‌ ୨୦୨୦ରେ ରିଲିଜ୍‌ ହେବ।

 

ତେବେ କିଛି ପ୍ରଶଂସକ କଙ୍ଗନାଙ୍କ ଲୁକ୍‌ ଦେଖି ଟ୍ରୋଲ ବି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆନିମେଶନ ବେକାର ହୋଇଛି। ଆଉ ଜଣେ ଲେଖିଛନ୍ତି, ଯେମିତି ଏକ କଣ୍ଢେଇକୁ ଠିଆ କରିଦେଇଛନ୍ତି। କିଛି ୟୁଜର କାର୍ଟୁନ କହୁଥିବାବେଳେ ଆଉ କିଛି ଜୟଲଳିଥାଙ୍କୁ ଅପମାନିତ କରାଯାଇଛି ବୋଲି ଲେଖିଛନ୍ତି।

Share