ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା

ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା ଚୋରା ପରମ୍ପରା ଯୋଗୁ ଏକ ବିବାହ ଭାଙ୍ଗିଯାଇଛି। ଉତ୍ତର ପ୍ରଦେଶର ମୁଜାଫରନଗରରେ ଘଟିଛି ଏଭଳି ଘଟଣା। ସିସୌଲିରେ ଚାଲିଥିବା ଏକ ବିବାହ କାର୍ଯ୍ୟକ୍ରମରେ ବରର ଜୋତା ଚୋରାଇଥିଲେ ଶାଳୀ। ଏହାର ବଦଳରେ ଶାଳୀ ଏବଂ ତାଙ୍କ ସାଙ୍ଗମାନେ ଟଙ୍କା ମାଗିଥିଲେ। କିନ୍ତୁ ଏଥିରେ ରାଗି ଯାଇ ବର ସେଠାରେ ଉପସ୍ଥିତି କିଛି ମହିଳାଙ୍କୁ ଅପଶବ୍ଦ କହିଥିଲେ। ଘଟଣାରେ ବରଙ୍କୁ କନ୍ୟା ଘର ପକ୍ଷରୁ ଯେତେବେ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ରାଗିଯାଇ ଜଣଙ୍କୁ ଚାପୁଡା ମାରିଥିଲେ। ଏସବୁ ଦେଖି କନ୍ୟା ନିଜ ବିବାହ ଭାଙ୍ଗି ଦେଇଥିଲେ। ଏପରିକି ଯୌତକ ବାବଦରେ ନେଇଥିବା ୧୦ ଲକ୍ଷ ଟଙ୍କା ଫେରାଇ ଦେବାକୁ ମଧ୍ୟ ଅଡି ବସିଥିଲେ। ବର, ତାଙ୍କ ପିତା ଏବଂ ଦୁଇ ସମ୍ପର୍କୀୟଙ୍କୁ କନ୍ୟା ଘର ପକ୍ଷରୁ ବନ୍ଧକ ରଖାଯାଇଥିଲା। ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମାମଲାର ସମାଧାନ ପାଇଁ ଉଭୟ ପକ୍ଷରୁ ବୁଝାଇଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରି ନ ଥିଲା। ଫଳରେ ବିବାହ ଭାଙ୍ଗିଯାଇଥିଲା।

Share