ଜୋତାର ନିଆରା ମ୍ୟୁଜିୟମ୍‌

କାନାଡାର ଟରଣ୍ଟୋ ସ୍ଥିତ ବ୍ଲୋର୍‌ ଷ୍ଟ୍ରିଟ୍‌ଠାରେ ଥିବା ବାଟା ସୁ ମ୍ୟୁଜିୟମ ପୃଥିବୀର ଏକ ବିଖ୍ୟାତ ଜୋତା ମ୍ୟୁଜିୟମ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ସଂଗୃହୀତ ହୋଇରହିଥିବା ସମସ୍ତ ଜୋତା ଏକ ଭିନ୍ନ କାହାଣୀ ବର୍ଣ୍ଣନା କରିଥାଏ। ଏହି ମ୍ୟୁଜିୟମ୍‌ରେ ମହାକାଶଚାରୀଙ୍କ ସ୍ପେଶ୍‌ ବୁଟ୍‌ଠାରୁ ଆରମ୍ଭ କରି ଓ୍ବେଷ୍ଟର୍ନ ସୁର ଇତିହାସକୁ ଦର୍ଶାଉଥିବା ବିଭିନ୍ନ ଜୋତାକୁ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଏଠାରେ ପ୍ରାଚୀନ ସଭ୍ୟତାରେ ପିନ୍ଧାଯାଉଥିବା ଜୋତା ତଥା ଏହାର ବିସ୍ତୃତ ଇତିହାସ ସମ୍ପର୍କରେ ଅନେକ ତଥ୍ୟ ଜାଣିବାର ସୁଯୋଗ ମିଳିଥାଏ। ବାଟା ସୁ’ ମ୍ୟୁଜିୟମ୍‌ ୧୯୯୫ ମେ ୬ରେ ପ୍ରତିଷ୍ଠା ଲାଭ କରିଥିଲା। ଏହାର ପ୍ରତିଷ୍ଠାତା ସୋନ୍‌ଜା ବାଟା ୧୯୪୦ରୁ ପୃଥିବୀର ବିଭିନ୍ନ ସ୍ଥାନରୁ ଜୋତା ସଂଗ୍ରହ କରିବା ଆରମ୍ଭ କରିଥିଲେ ଯେଉଁଥିରେ ସାଧାରଣଠାରୁ ଆରମ୍ଭ କରି ଅସାଧାରଣ ପ୍ରାୟ ୧୩ ହଜାର ଜୋତା ସାମିଲ ଅଛି। ତନ୍ମଧ୍ୟରୁ ଫ୍ରାନ୍ସର ଚେଷ୍ଟ ନଟ୍‌ କ୍ରଶିଙ୍ଗ ବୁଟ, ଚାଇନାର ରେଶମ ସୂତାରେ ପ୍ରସ୍ତୁତ ଜୋତା, ଜାପାନୀ ସାମୁରାଇଙ୍କ ଲାଗି ଉଦ୍ଦିଷ୍ଟ ଫର୍‌ ଜୋତା ଆଦି ଅନ୍ୟତମ। କେବଳ ସେତିକି ନୁହେଁ ଏଠାରେ ଭାରତୀୟ ଜୋତାର ମଧ୍ୟ ବିଭିନ୍ନ ସମ୍ଭାର ଦେଖିବାକୁ ମିଳେ। ଏହି ନିଆରା ମ୍ୟୁଜିୟମ୍‌ ଜୋତା ମାଧ୍ୟମରେ ବିଭିନ୍ନ ଦେଶର ତଥା ସଭ୍ୟତାର ସଂସ୍କୃତି ଏବଂ ପରମ୍ପରା ସମ୍ପର୍କରେ ସୂଚନା ଦେଇଥାଏ।

Share