Categories: ଫୁରସତ

ଜେଲରୁ ଖସିବା ପାଇଁ ଝିଅକୁ ବ୍ୟବହାର କଲେ ବାପା

ଜେଲରୁ ବାହାରି ଯିବା ପାଇଁ ଜଣେ ବାପ ତା’ ଝିଅକୁ ବ୍ୟବହାର କରିପାରେ! କଥାଟି ଶୁଣିବାକୁ କେମିତି ଟିକେ ଅଡୁଆ ମନେ ହେଉଛି। ଜଣେ ବାପ ହୋଇ କେମିତି ଏପରି ଏକ କାମ କରିପାରିବ? ମାତ୍ର କଥାଟି ଶହେରୁ ଶହେ ପ୍ରତିଶତ ସତ। ଘଟଣାଟି ଘଟିଛି ବ୍ରାଜିଲ୍‌ରେ। ଆଉ ଏହି ବାପ ଜଣକ ହେଉଛନ୍ତି ଜଣେ ବେଆଇନ୍‌ ଡ୍ରଗ୍‌ ବ୍ୟବସାୟୀ। ନଁା ତାଙ୍କର ହେଉଛି କ୍ଲାଉବିନ୍‌ ଦା’ ସିଲଭା। କ୍ଲାଉବିନ୍‌ଙ୍କୁ ରିଓ ଡି ଜାନେଇରୋର ଏକ ଜେଲ୍‌ରେ ରଖାଯାଇଥିଲା। ତାଙ୍କର ଅପରାଧ ଏଭଳି ଥିଲା ଯେ, ସେଠାକାର ବିଚାରାଳୟ ତାଙ୍କୁ ୭୩ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ତେବେ କ୍ଲାଉବିନ ଜେଲ୍‌ରେ ରହିବାକୁ ଚାହୁଁ ନଥିଲେ। ପୁଣି ମୁକୁଳିବାର ତ ବାଟ ନଥିଲା। ସେ ଗୋଟେ କଥା ଚିନ୍ତାକଲେ। ତାଙ୍କର ଗୋଟିଏ ୧୯ବର୍ଷ ବୟସର ଝିଅ ଥିଲା। ଝିଅ ବାପାଙ୍କୁ ଭେଟିବା ପାଇଁ ସବୁବେଳେ ଜେଲ୍‌କୁ ଆସୁଥିଲା। ସେହି ଝିଅକୁ ନେଇ କ୍ଲାଉବିନ୍‌ ଦା’ ସିଲ୍‌ଭା ବାହାରକୁ ଯିବାର ଯୋଜନା ବନେଇଲେ। ସେ ଝିଅକୁ କହିଲେ ଯେ, ଠିକ୍‌ ତା’ରି ପ୍ରତିକୃତିର ଏକ ମାସ୍କ ତିଆରି କରି ଆଣିବ। ସେ ଯେଉଁ ସବୁ ଡ୍ରେସ୍‌ ପିନ୍ଧୁଛି ସେଥିରୁ ଗୋଟିଏ ଲେଖାଏଁ ତାଙ୍କୁ ଦେଇଯିବ। ଝିଅ ସେଇଆ କଲା। କ୍ଲାଉବିନ୍‌ ଦା’ ସିଲଭା ମାସ୍କ ଲଗେଇ ଡ୍ରେସ୍‌ ପିନ୍ଧିଦେଲେ ତ ନିଜ ଝିଅ ଭଳି ଲାଗିଲେ। ଏହାପରେ ସେ ଝିଅକୁ ନିଜର ଡ୍ରେସ୍‌ ପିନ୍ଧେଇ ଜେଲ୍‌ ଭିତରେ ବସେଇଦେଲେ। ଆଉ ନିଜେ ବାହାରକୁ ଚାଲି ଆସିବାର ଯୋଜନା କଲେ। ହେଲେ ବାଟରେ ଯେତେବେଳେ ତାଙ୍କୁ ଚେକ୍‌ କରାଗଲା ସେ ଧରାପଡ଼ିଲେ ଓ ପୁଣିଥରେ ଜେଲ୍‌କୁ ଘୋସରା ହୋଇଗଲେ।

Share