Categories: ବାଣିଜ୍ୟ

ଜେଟ୍‌ ବନ୍ଦ ହେବା ଲାଗି ସରକାର ଦାୟୀ : ସ୍ପାଇସ୍‌ଜେଟ ଅଧ୍ୟକ୍ଷ

ନୂଆଦିଲ୍ଲୀ,୫-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅଚାନକ ବନ୍ଦ ହୋଇଯିବାକୁ ନେଇ ସ୍ପାଇସ୍‌ଜେଟ୍‌ ଅଧ୍ୟକ୍ଷ ଅଜୟ ସିଂ ମୁହଁ ଖୋଲିଛନ୍ତି। ଜେଟ୍‌ ବନ୍ଦ ହୋଇଯିବା ସମସ୍ତଙ୍କ ପାଇଁ ନିଦରୁ ଜାଗି ଉଠିବାର ବେଳ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଓ ସମ୍ପୃକ୍ତ ମନ୍ତ୍ରଣାଳୟ ଦାୟୀ ବୋଲି ସେ କହିଛନ୍ତି। ତାଙ୍କର କହିବାନୁଯାୟୀ, ଭାରତରେ ବିମାନ କମ୍ପାନୀ ଚଳାଇବା ମହଙ୍ଗା, କାରଣ ଏଠାରେ ଅତ୍ୟଧିକ ବ୍ୟୟ କରିବାକୁ ପଡ଼ୁଛି। ସୂଚନାଯୋଗ୍ୟ ଯେ, ନଗଦ ସଙ୍କଟ କାରଣରୁ ଏପ୍ରିଲରେ ଜେଟ୍‌ ଏୟାରଓ୍ବେଜ୍‌ ସାମୟିକ ବନ୍ଦ ହୋଇଯାଇଛି। ଏହା ୩୦ ବିମାନକୁ ଲିଜ୍‌ରେ ନେବାକୁ ସ୍ପାଇସ୍‌ଜେଟ୍‌ ବିଚାର କରୁଛି। ଜେଟ୍‌ ଏୟାରଓ୍ବେଜ୍‌ର ଉଡ଼ାଣ ବନ୍ଦ ହୋଇଯିବାକୁ ଦୁର୍ଭାଗ୍ୟପୂର୍ଣ୍ଣ ଉଲ୍ଲେଖ କରି ସିଂ କହିଛନ୍ତି ଯେ, ଆଭ୍ୟନ୍ତରୀଣ କାରଣ ଓ ଉଚ୍ଚ ବ୍ୟୟ ଯୋଗୁ କମ୍ପାନୀ ଅଦିନରେ ବନ୍ଦ ହୋଇଗଲା। ଏଥିଯୋଗୁ ଆମ ସମସ୍ତଙ୍କୁ ଏବଂ ନୀତି ନିର୍ଦ୍ଧାରକଙ୍କୁ ଜାଗି ଉଠିବାର ବେଳ ଆସିଛି। ସେ କହିଛନ୍ତି ଯେ, ବିମାନ କ୍ଷେତ୍ରରେ ନିବେଶ ଅତ୍ୟନ୍ତ ବ୍ୟୟସାପେକ୍ଷ ହେଲାଣି। ସିଂ କହିଛନ୍ତି ଯେ, ଜେଟ୍‌ର ଲଗାଣ ଢାଞ୍ଚା ବ୍ୟୟ ଅତ୍ୟଧିକ ହେବା କାରଣରୁ ଏହା ଅନ୍ୟ ବିମାନ କମ୍ପାନୀଙ୍କ ସହ ପ୍ରତିଯୋଗିତା କରିପାରିଲା ନାହିଁ ବୋଲି ମନେ କରାଯାଇପାରେ।

Share