Categories: ବାଣିଜ୍ୟ

ଜେଟ୍‌ ଏୟାରଓ୍ବେଜ୍‌ର ବିଡିଂରେ ସାମିଲ ହେବେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ,୨୨-୫: ଆର୍ଥିକ ସଙ୍କଟ କାରଣରୁ ସାମୟିକ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ବିଡିଂରେ ହିନ୍ଦୁଜା ଭ୍ରାତା ଭାଗ ନେବେ। ଚଳିତ ସପ୍ତାହରେ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ। ଏଥିଲାଗି ଏୟାରଲାଇନ୍ସର ମୁଖ୍ୟ ପାର୍ଟନର ତଥା ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ରଣନୈତିକ ନିବେଶକ ଏଟିହାଦ୍‌ ଏୟାରଓ୍ବେଜ ଠାରୁ ହିନ୍ଦୁଜା ଭ୍ରାତା ଅନୁମତି ନେଇସାରିଛନ୍ତି। ସୂଚନାଯୋଗ୍ୟ, ସପ୍ତାହକ ଭିତରେ ଜେଟ୍‌ ଏୟାରଓ୍ବେଜ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର ସ୍ପଷ୍ଟ କରିଥିଲେ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜେଟ୍‌ର ଡ୍ୟୁ ଡିଲିଜେନ୍ସ ବା ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ଲାଗି ହିନ୍ଦୁଜା ଗ୍ରୁପ୍‌ ଏସ୍‌ବିଆଇ କ୍ୟାପିଟାଲ ମାର୍କେଟ୍ସ ମାଧ୍ୟମରେ ବ୍ୟାଙ୍କ କନ୍‌ସୋର୍ଟିୟମ ସହ ଆଲୋଚନା କରିସାରିଛି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ। ଉଲ୍ଲେଖଥାଉ କି, ନରେଶ ଗୋୟଲଙ୍କ ସହ ହିନ୍ଦୁଜା ଗ୍ରୁପ୍‌ର ଗତ ଦୁଇ ଦଶନ୍ଧି ଧରି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି। ବକେୟା ଋଣ ପରିମାଣକୁ ବ୍ୟାଙ୍କଗୁଡ଼ିକ ଯଥେଷ୍ଟ ହ୍ରାସ କରିବେ ବୋଲି ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଦେଶର ବହୁ ବ୍ୟବସାୟୀ ଗୋଷ୍ଠୀ ଗୋୟଲଙ୍କ କମ୍ପାନୀରେ ନିବେଶ କରିବାକୁ ମନା କରିସାରିଛନ୍ତି। ପୂର୍ବରୁ ଟାଟା ଗ୍ରୁପ୍‌ ଆଗ୍ରହ ଦେଖାଇଥିଲା, କିନ୍ତୁ ପରେ ଓହରି ଯାଇଥିଲା।

Share