Categories: ଖେଳ

ଜେଟ୍‌ଲୀଙ୍କ ବିୟୋଗରେ ଶୋକାକୁଳ କ୍ରୀଡ଼ାଜଗତ

ନୂଆଦିଲ୍ଲୀ,୨୪।୮: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ଥାନୀୟ ଏମ୍‌ସ ମେଡିକାଲରେ ଶନିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଦୁଃଖଦ ଘଟଣାରେ ସମ୍ପୂର୍ଣ୍ଣ କ୍ରୀଡ଼ାଜଗତ ଶୋକାକୁଳ ହୋଇପଡ଼ିଛି। ବହୁ ପୂର୍ବତନ ଓ ବର୍ତ୍ତମାନ କ୍ରୀଡ଼ାବିତ୍‌ମାନେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି। ଜେଟ୍‌ଲୀ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ସଭାପତି ଥିବାବେଳେ ବହୁ କ୍ରିକେଟରଙ୍କ ସଂସ୍ପର୍ଶରେ ଆସିଥିଲେ। ମହିଳା କୁସ୍ତିଯୋଦ୍ଧା ଗୀତା ଫୋଗଟ ଟୁଇଟରରେ ଲେଖିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେଟ୍‌ଲୀଙ୍କ ପରଲୋକ ଖବର ଅତ୍ୟନ୍ତ ଦୁଃଖଦାୟକ। ଭଗବାନ ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ। ସେହିଭଳି ଜେଟ୍‌ଲୀଙ୍କ ପରିବାର ସହ ମୋର ଭଲପାଇବା ଓ ସମବେଦନା ରହିଛି ବୋଲି ଭାରତୀୟ ଓପନର ଶିଖର ଧାଓ୍ବନ ଲେଖିଛନ୍ତି। ବିସିସିଆଇ କାର୍ଯ୍ୟକାରୀ ସଭାପତି ସି.କେ. ଖାନ୍ନା କଲେଜ ଦିନକୁ ମନେପକାଇ ଉଲ୍ଲେଖ କରିଛନ୍ତି। ଆମେ ଶ୍ରୀରାମ କଲେଜରେ ବାଣିଜ୍ୟ ବିଭାଗରେ ପଢ଼ୁଥିଲୁ। କଲେଜ ନିର୍ବାଚନରେ ସେ ଆମ ସଭାପତି, ମୁଁ ଜେନେରାଲ ସେକ୍ରେଟାରି ଥିଲି। ମୁଁ ତାଙ୍କ ସହ ଡିଡିସିଏରେ ମଧ୍ୟ କାର୍ଯ୍ୟ କରିଛି। କ୍ରିକେଟରେ ତାଙ୍କ ଯୋଗଦାନକୁ ସର୍ବଦା ମନେରଖାଯିବ। ଆଜି ଦେଶ ଜଣେ ମହାନ୍‌ ରାଜନେତା ଓ ମୁଁ ଜଣେ ଭଲ ବନ୍ଧୁ ହରାଇଛି ବୋଲି ଖାନ୍ନା ଲେଖିଛନ୍ତି। ଏହି ତାଲିକାରେ ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ଭିଭିଏସ୍‌ ଲକ୍ଷ୍ମଣ, କୁସ୍ତିଯୋଦ୍ଧା ବବିତା ଫୋଗଟ, ଆକାଶ ଚୋପ୍ରା, ଡିଡିସିଏ ରହିଛନ୍ତି।

Share