Categories: ଜାତୀୟ

ଜେଏନ୍‌ୟୁ ଛାତ୍ରସଂସଦ ନିର୍ବାଚନ: ବାମ ସଂଗଠନ ପ୍ରାର୍ଥୀ ଆଗରେ

ନୂଆଦିଲ୍ଲୀ,୯ା୯(ଆଇଏଏନ୍‌ଏସ୍‌): ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ରସଂସଦ ନିର୍ବାଚନ ଭୋଟ ଗଣତି ଅଧାରୁ ଅଟକି ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୫୫ରୁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଛାତ୍ରୀଛାତ୍ର ଓ ବିଶ୍ୱବିଦ୍ୟାଳୟ ଅଭିଯୋଗ ସମାଧାନ ପ୍ରକୋଷ୍ଠ (ଜିଆର୍‌ସି) ମଧ୍ୟରେ ମତଭେଦ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ମୋଟ ୧୮୪୧ ବାଲାଟରୁ ୫୫୦ଟି ଗଣାସରିଥିବାବେଳେ ସଭାପତି ପଦ ପାଇଁ ଲଢ଼ୁଥିବା ବାମ ସଂଗଠନର ଐଶେ ଘୋଷ ଆଗରେ ଅଛନ୍ତି। ସେହିପରି ବାମ ସଂଗଠନରୁ ଉପସଭାପତି ପଦ ପାଇଁ ଲଢ଼ୁଥିବା ସକେତ୍‌ ମୁନ୍‌ ୩୬୦ ଭୋଟ ସହ ଆଗରେ ରହିଥିବା ଜଣାପଡିଛି। ୧୭ ତାରିଖ ପର୍ଯ୍ୟନ୍ତ ଫଳାଫଳ ଘୋଷଣା ନ କରିବାକୁ ଦିଲ୍ଲୀ ହାଇକୋର୍ଟ ଜେଏନ୍‌ୟୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଛାତ୍ରସଂସଦର ସବୁ ପ୍ରମୁଖ ପଦରେ ବାମଦଳ ପ୍ରାର୍ଥୀ ଆଗରେ ରହିଛନ୍ତି। ସଭାପତି ପଦ ପାଇଁ ବିର୍ସା ଆମ୍ବେଡ୍‌କର ଫୁଲେ ଷ୍ଟୁଡେଣ୍ଟସ୍‌ ଆସୋସିଏଶନ (ବିଏପିଏସ୍‌ଏ) ଫ୍ରାଟରନିଟିରୁ ପ୍ରାର୍ଥୀ ହୋଇଥିବା ଓଡ଼ିଆ ଛାତ୍ର ଜିତେନ୍ଦ୍ର ସୁନାଙ୍କୁ ପଛରେ ପକାଇ ଦେଇଛନ୍ତି ଐଶେ। ଗଣତି ହୋଇଥିବା ୫୫୦ ଭୋଟରୁ ସେ ୨୬୬ ପାଇଛନ୍ତି। ସାଧାରଣ ସମ୍ପାଦକ ପାଇଁ ପ୍ରାର୍ଥୀ ହୋଇଥିବା ସତୀଶ ଚନ୍ଦ୍ର ଯାଦବ ୨୬୧ ଭୋଟ ପାଇଥିବାବେଳେ ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ମହମ୍ମଦ ଡାନିଶ ୩୫୩ ଭୋଟ ପାଇଛନ୍ତି। ନିର୍ବାଚନ ଲଢ଼ୁଥିବା ବାମ ଦଳଗୁଡିକ ମଧ୍ୟରେ ଅଛନ୍ତି ଅଖିଳ ଭାରତ ଛାତ୍ର ସଂଗଠନ (ଏଆଇଏସ୍‌ଏ), ଭାରତର ଛାତ୍ର ସଂଘ (ଏସ୍‌ଏଫ୍‌ଆଇ), ଗଣତାନ୍ତ୍ରିକ ଛାତ୍ର ସଂଘ (ଡିଏସ୍‌ଏଫ) ଏବଂ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌)।

Share