ଜୁଲାଇ ୧ରୁ ହେବ ସାଳନ୍ଦୀରୁ ଦଳ ସଫା

ଭଦ୍ରକ ଅଫିସ, ୧୧ା୬-ବର୍ଷାଦିନକୁ ଆଖି ଆଗରେ ରଖି ଜଳ ନିଷ୍କାସନର ସୁବ୍ୟବସ୍ଥା ପାଇଁ ସାଳନ୍ଦୀ ନଦୀରୁ ଦଳ ସଫା କରାଯିବା ପାଇଁ ଜିଲାପାଳ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକର ଲାଇଫ୍‌ଲାଇନ କୁହାଯାଉଥିବା ସାଳନ୍ଦୀ ନଦୀରେ ବର୍ଷାଦିନେ ବନ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ଭଦ୍ରକ ପୌରପାଳିକାର ନଈକୂଳିଆ ଅଞ୍ଚଳ ପ୍ରଭାବିତ ହୋଇଥାଏ। ଏପରିକି ଘର ଭିତରେ ବନ୍ୟାଜଳ ପ୍ରବେଶ କରି ସମସ୍ୟା ସୃଷ୍ଟି କରେ। ଏଣୁ ମୌସୁମୀ ବର୍ଷା ଆସିବା ପୂର୍ବରୁ ଗୁରୁବାର ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ସାଳନ୍ଦୀ ଜଳସେଚନ ବିଭାଗୀୟ କର୍ମକର୍ତ୍ତାଙ୍କୁ ନେଇ ସାଳନ୍ଦୀ ନଦୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ମୁଖ୍ୟତଃ ସାଳନ୍ଦୀ ନଦୀ ଉପରେ ହୋଇଥିବା ଗରଦପୁର, ଧନାଟୋଲା ଓ କୁଆଁସ ପୋଲ ଉପରକୁ ଯାଇ ପରିଦର୍ଶନ କରିଥିଲେ। ଏହି ପୋଲ ନିକଟରେ କିଭଳି ଦଳ ଜମି ରହି ଜଳ ନିଷ୍କାସନରେ ବାଧିତ ହେଉଛି ତାହା ପରିଦର୍ଶନ କରିଥିଲେ। ଆଗାମୀ ଜୁଲାଇ ୧ତାରିଖ ପୂର୍ବରୁ ଉକ୍ତ ଦଳ ସଫା କରିବା ପାଇଁ ଜିଲାପାଳ ସାଳନ୍ଦୀ ଏକଜିକ୍ୟୁଟିଭ ଇଞ୍ଜିନିୟର ଆର୍ତ୍ତତ୍ରାଣ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଅନ୍‌ଲାଇନ ଟେଣ୍ଡର କରାଯାଇ ଦଳ ସଫା କରାଯିବ ବୋଲି ବିଭାଗୀୟ ଏକଜିକ୍ୟୁଟିଭ ଇଞ୍ଜିନିୟର ସାହୁ କହିଛନ୍ତି। ସୂଚନାଥାଉ କି, ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଦଳ ସଫା କରାଯାଉଥିଲେ ମଧ୍ୟ ଏହାର ସ୍ଥାୟୀ ବନ୍ଦୋବସ୍ତ କରାଯାଉ ନ ଥିବାରୁ ଭଦ୍ରକର ପୌରପାଳିକାର ନଈକୂଳିଆ ୱାର୍ଡ଼ ବାସିନ୍ଦା ସମସ୍ୟା ଭୋଗୁଛନ୍ତି।