ଜୁନିୟର ମଡେଲ ପ୍ରତ୍ୟାଶା: ଲକ୍ଷ୍ୟ ଆଇଆଇଟି ଇଞ୍ଜିନିୟର, ସଫଳ ମଡେଲ

ବାଲେଶ୍ୱର ଅଫିସ- ବାଲେଶ୍ୱର ସହରର ଝିଅ ପ୍ରତ୍ୟାଶା ପରିଜା। ମାତ୍ର ୧୨ବର୍ଷ ବୟସରୁ ସେ ପାଇସାରିଲେଣି ୭୦ରୁ ଊର୍ଦ୍ଧ୍ୱ ପୁରସ୍କାର। ମଡେଲିଂ ହେଉ କି ଡ୍ୟାନ୍ସ, ଚିତ୍ରାଙ୍କନ, ବକ୍ତୃତା, ରଚନା ସେ ସବୁଥିରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି। ଚଳିତବର୍ଷ ସେ ମଡେଲିଂରେ ସ୍କୁଲ ପକ୍ଷରୁ ଶ୍ରେଷ୍ଠ ବିବେଚିତ ହୋଇ ଭୁବନେଶ୍ୱରରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଫଳରେ ସେ ‘ଓଡ଼ିଶା ଜୁନିୟର ଟପ୍‌ ମଡେଲ ପ୍ରତିଯୋଗିତା’ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କେରଳରେ ଜେଏମ୍‌ଆଇ (ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ) ପ୍ରତିଯୋଗିତାରେ ସେ ଭାଗ ନେବାକୁ ସୁଯୋଗ ପାଇଛନ୍ତି।
ସହରର ଶ୍ରୀକଣ୍ଠପୁର ବିବେକାନନ୍ଦ ମାର୍ଗ ଅଞ୍ଚଳର ସୁସ୍ମିତା ଓ ତନ୍ମୟ ପରିଜାଙ୍କ ଝିଅ ପ୍ରତ୍ୟାଶା। ସେ ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି। ସେ ଏକ ଚ୍ୟାନେଲରେ ପ୍ରସାରିତ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ। ସେହିପରି ପର୍ଯ୍ୟଟନ ବିଭାଗ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ‘କଳିଙ୍ଗ କନ୍ୟା ରନତ୍-୨୦୧୮’ ଭାବେ ଶ୍ରେଷ୍ଠ ଜୁନିୟର ମଡେଲ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ‘ମିସ୍‌ ଚନ୍ଦ୍ରଭାଗା ୨୦୧୮’ ଟାଇଟଲ ମଧ୍ୟ ଜିତିଥିଲେ। ୨୦୧୭ରେ ବାଲେଶ୍ୱର ମଡର୍ନ ଇଞ୍ଜିନିୟରିଂ କଲେଜରେ ‘ଇସ୍ରୋ’ ପକ୍ଷରୁ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପ୍ରତିଭାଧାରୀ ପ୍ରତ୍ୟାଶା ପାଠପଢ଼ାରେ ମଧ୍ୟ ପଛରେ ନାହାନ୍ତି। ପ୍ରଥମରୁ ସେ ଲଗାତର ପ୍ରଥମ ସ୍ଥାନ ଅଧିକାର କରି ଆସୁଛନ୍ତି। ସେ ଭବିଷ୍ୟତରେ ଜଣେ ଆଇଆଇଟି ଇଞ୍ଜିନିୟର ହେବା ସହ ସଫଳ ମଡେଲ ହେବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି।

(ମାନସ ବିଶ୍ୱାଳ)