ଜୁନାଗଡ଼-ଭୁବନେଶ୍ୱରକୁ ସ୍ବତନ୍ତ୍ର ଟ୍ରେନ ଚାଲିଲା : ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗ ଯୋଗୁ ବାତିଲ ହେଲା ଉଦ୍‌ଘାଟନୀ କାର୍ଯ୍ୟକ୍ରମ

ଜୁନାଗଡ,୨୪।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା ଜୁନାଗଡ ସହରଠାରୁ ଭୁବନେଶ୍ୱରକୁ ଶନିବାର ସ୍ବତନ୍ତ୍ର ଟ୍ରେନ୍‌ ଚାଲିଛି। ଅପରାହ୍ନ ସାଢେ ୪ଟାରେ ଜୁନାଗଡ ରୋଡ-ଭୁବନେଶ୍ୱରକୁ ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଯାତ୍ରା ଆରମ୍ଭ କରିଥିଲା। ଅପରାହ୍ନ ୩ଟାରେ ରେଳ ବିଭାଗ ପକ୍ଷରୁ ଏହି ଟ୍ରେନର ଶୁଭାରମ୍ଭ ପାଇଁ ଜୁନାଗଡ ରୋଡ ଷ୍ଟେଶନ ପରିସରରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରଖାଯାଇଥିଲା। ମଧ୍ୟାହ୍ନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ବିୟୋଗ ଖବର ପରେ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ସ୍ବତନ୍ତ୍ର ଟ୍ରେନ ଜୁନାଗଡରୁ ଭୁବନେଶ୍ୱରକୁ ଯାତ୍ରା କରିବା ସମୟରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଏମଏସଏମଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର, ଓଡିଶା ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦିପ୍ତ କୁମାର ନାଏକ, କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା, ବିଡିଓ ଦୁଲାରାମ ମାରାଣ୍ଡି, ମୁକେଶ ଅଗ୍ରୱାଲ, ବିଶ୍ୱନାଥ କର, ରୁପେଶ କୁମାର ଜୈନ, ମହେଶ ସାହୁ, ମନୋଜ କୁମାର ମେହେରଙ୍କ ସହ ରେଳବିଭାଗର କର୍ମଚାରୀମାନେ ଉପସ୍ଥତ ଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ହୀରାଖଣ୍ଡ ଏକ୍ସପ୍ରେସ ସହ ଯୋଡି ହୋଇ ଟ୍ରେନ୍‌ ଜୁନାଗଡ ଯାଉଥିଲା । ପ୍ରଥମେ ଟ୍ରେନ ରାୟଗଡା ଯିବା ପରେ ସେଠାରୁ ଅଲଗା ହୋଇ ଆଉ ଏକ ଇଞ୍ଜିନ ସହ ଜୁନାଗଡ ଯାତ୍ରା କରୁଥିଲା। ହେଲେ ଯାତ୍ରୀଙ୍କୁ ଏଣିକି ସ୍ବତନ୍ତ୍ର ଟ୍ରେନ ସେବା ମିଳିବ। ଯାହାକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ଟ୍ରେନ ପ୍ରତିଦିନ ଭୁବନେଶ୍ୱରରୁ ରାତି ୧୦.୩୫ ମିନିଟ୍‌ରେ ବାହାରି ପରଦିନ ସାଢେ ୧୧ଟାରେ ଜୁନାଗଡରେ ପହଞ୍ଚତ୍ବ। ସେହିପରି ଜୁନାଗଡ ରୋଡରୁ ଅପରାହ୍ନ ସାଢେ ୪ଟାରେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ସାଢେ ୬ଟାରେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ପହଞ୍ଚତ୍ବ।